ଯାଜପୁର: ବିଜେଡ଼ି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ରାଜସ୍ୱ କର୍ମଚାରୀ ମାଡ଼ ମାରିବା ମାମଲା ଏବେ ଭିନ୍ନ ମୋଡ଼ ନେଇଛି । ଅଭିଯୋଗ ଆଣିଥିବା ରାଜସ୍ୱ କର୍ମଚାରୀଙ୍କ ନାଁରେ ପାଲଟା ଅଭିଯୋଗ ଆସିଛି । ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନା ଅଭିଯୋଗ କରିଛନ୍ତି । ଉଭୟ ପକ୍ଷ ଅଭିଯୋଗ ଆଧାରରେ ବରୀ ରାମଚନ୍ଦ୍ରପୁର ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁର ବରୀ ରାମଚନ୍ଦ୍ରପୁର ଥାନାରେ ଡବଲ ଏତଲା । ଗୋଟିଏ ପଟେ ବରୀ ବିଧାୟକ ବିଶ୍ଵ ରଂଜନ ମଲ୍ଲିକଙ୍କ ନାମରେ ଏତଲା ଦେଇଛନ୍ତି ଜଣେ କନିଷ୍ଠ ରାଜସ୍ଵ ସହାୟକ ଅମର ରଞ୍ଜନ ନାଏକ । ଅନ୍ୟପଟେ ସମ୍ପୃକ୍ତ କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛ ବିଜେଡ଼ି ବ୍ଲକ୍ ଅଧ୍ୟକ୍ଷା । ଏ ନେଇ ରାଜସ୍ୱ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରୀ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । କହିଲେ ସେଭଳି କିଛି ହୋଇନାହିଁ । ବିଧାୟକଙ୍କୁ ଅଯଥା ବଦନାମ କରିବା ପାଇଁ ଏପରି ଏକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି ଉପାଧ୍ୟକ୍ଷା ।
ଅନ୍ୟପଟେ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ଵୀକାର କରିଛନ୍ତି । ଏ କଥାରେ କିଛି ସତ୍ୟତା ନାହିଁ, ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ । ଉପଯୁକ୍ତ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ଏବଂ ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି। ଏପଟେ ତାଙ୍କୁ ନିର୍ଦ୍ଦୋଷ ଦର୍ଶାଇ ବିଧାୟକଙ୍କ ସମର୍ଥନରେ ଯୁକ୍ତି ବାଢିଛନ୍ତି ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା । ତେବେ ଉଭୟ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇଟି ମାମଲା ରୁଜୁ କରିଛି। ଆଜି ବରୀ ଥାନାରେ ଅତିରିକ୍ତ ଏସପି ଓ ଏସଡ଼ିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଯାଜପୁର ଅତିରିକ୍ତ ଏସପି କହିଛନ୍ତି ଘଟଣାର ତଦନ୍ତ କରାଯାଉଛି । ତଦନ୍ତରୁ ଯାହା ଜଣାପଡିବ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବ୍ଲକ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଉପସ୍ଥିତରେ ବିଧାୟକ ଶ୍ରୀ ମଲ୍ଲିକ କନିଷ୍ଠ ରାଜସ୍ଵ ସହାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ଗତକାଲି ଥାନାରେ ଅଭିଯୋଗ ହୋଇଛି । ଏପରିକି ତାଙ୍କୁ ଗୋଇଠା, ବିଧା, ଚାପୁଡ଼ା ମରାଯିବା ସହ ଜାତିଆଣ ଆକ୍ଷେପ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।