ଗଞ୍ଜାମ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନରେ ଚଷା ଭାଇ ଅଖି ମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିଧାୟକ ଓ ମନ୍ତ୍ରୀଗଣ ମଧ୍ୟ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ କରି ଅନନ୍ୟ ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି । ରାଜ୍ୟପାଳ ହରିବାବୁ ଡାକ୍ତର କମ୍ଭମପାଟି ମଧ୍ୟ ଅଖି ମୁଠି ଅନୁକୂଳ କରିଛନ୍ତି । ସେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଉପସ୍ଥିତ ଯୋଗ ଦେଇଛନ୍ତି । ମନ୍ତ୍ରୀ ଜମିରେ ଲଙ୍ଗଳ ଧରି ହଳ କରିଛନ୍ତି । ଜଣେ ଚଷା ପୁଅ ହିସାବରେ ବହୁତ ଦିନ ପରେ ଏହି ସୁଯୋଗ ମିଳିଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ଫାର୍ମରେ ଏକ ରାଜ୍ୟସ୍ତରୀୟ କୃଷକ ସମାରୋହ କାର୍ଯ୍ୟକ୍ରମରେ ଅଖିମୁଠି ଅନୁକୂଳ କରିବା ସହିତ ହଳ କରି ଧାନ ବୁଣିଥିଲେ । ଏହା ସହିତ ଚାଷୀମାନଙ୍କୁ ବଡ଼ ଭେଟି ଦେଇଛନ୍ତି । ଚାଷୀଙ୍କ ଆକାଉଣ୍ଟ୍କୁ ସିଏମ୍ କିଷାନ ଟଙ୍କା ଆସିଛି । ରାଜ୍ୟ ସରକାର ୫୦ ଲକ୍ଷ ଚାଷୀଙ୍କ ଖାତାକୁ ୧ ହଜାର କୋଟିରୁ ଅଧିକ ଟଙ୍କା ପଠାଇଛନ୍ତି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ଚାଷୀମାନଙ୍କୁ ଟଙ୍କା ଦେବେ। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ ।