ଭୁବନେଶ୍ୱର : ଆଜିଠାରୁ ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ । ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ । ଏହି ସର୍ଭେ ଆଜିଠାରୁ ଆସନ୍ତା ମେ ୫ ତାରିଖ ପର୍ଯ୍ୟନ୍ତ ହେବ । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ରାଜ୍ୟରେ ଅଧାରୁ ପାଠ ଛାଡିଥିବା ଡ୍ରପ୍ ଆଉଟ୍ ପିଲାଙ୍କୁ ପୁଣି ସ୍କୁଲ ଫେରାଇ ଆଣିବାକୁ ଘରକୁ ଘର ବୁଲିବେ ଶିକ୍ଷକ ,ଶିକ୍ଷୟତ୍ରୀ । ପାଠ ଛାଡିଥିବାର କାରଣ ଖୋଜିବା ସହିତ ଅଭିଭାବକ ଓ ପିଲାଙ୍କ କାଉନସେଲିଙ୍ଗ୍ କରି ପିଲାଙ୍କୁ ପାଠପଢାର ମହତ୍ୱ ବୁଝାଇବେ ଏବଂ ସେମାନଙ୍କୁ ସ୍କୁଲ ଫେରାଇ ଆଣିବାକୁ ପ୍ରଚେଷ୍ଟା କରିବେ ।
ସୂଚନାଯୋଗ୍ୟ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ନାମ ଲେଖାଇଥିବା ୬ରୁ ୧୪ବର୍ଷ ବୟସ୍କ ମଧ୍ୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ଶ୍ରେଣୀରେ ଅଧାରୁ ପାଠ ଛାଡ଼ି ଦେଉଥିବାରୁ ଡ୍ରପ୍ଆଉଟ୍ ତାଲିକା ବଢ଼ି ବଢ଼ି ଚାଲିଛି। ଅଧାରୁ ପାଠ ଛାଡ଼ି ବାହାରେ ଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରାଥମିକ ଶ୍ରେଣୀର ପିଲାମାନେ ଦାଦନ ଖଟିବାକୁ ମାତାପିତାଙ୍କ ସହିତ ଜିଲା ଓ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ୧୪ବର୍ଷରୁ ଉର୍ଦ୍ଧ ପିଲାମାନେ ଅଷ୍ଟମ ଶ୍ରେଣୀରୁ ପାଠଛାଡି କୌଳିକ ବୃତ୍ତିରେ ସାମିଲ୍ ହୋଇଛନ୍ତି କିମ୍ବା ଶିଶୁ ଶ୍ରମିକ ସାଜିଛନ୍ତି । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ପିଲାମାନେ ଅସହାୟ ସ୍ଥିତିରେ ଥିବାରୁ ଆଗକୁ ପାଠ ପଢିବା ଆଶା ଛାଡ଼ି ଦେଇଥିବା ଜଣାପଡ଼ିଛି ।
ସେହିପରି ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଥିବାରୁ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସାଧାରଣ ଲୋକେ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବାକୁ ସକ୍ଷମ ହେଉନାହାନ୍ତି। ଯେଉଁମାନେ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି,ପରବର୍ତ୍ତୀ ସମୟରେ ସ୍କୁଲ୍ ଖର୍ଚ୍ଚ ଭରଣା କରି ନ ପାରିବାରୁ ପିଲାମାନେ ଅଧାରୁ ପାଠ ପଢା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହା ମଧ୍ୟ ପଢା ଛାଡିବାର ଏକ କାରଣ ରହିଛି । ତେଣୁ ଅଧିକ ପାଠପଢି ଜୀବିକାର୍ଜନ ନିମନ୍ତେ ନିଯୁକ୍ତି ସଂକଟ ଲାଗି ରହିଥିବାରୁ ପିଲାଙ୍କୁ ଛୋଟ ବେଳୁ ନିଜ କୌଳିକ ବୃତ୍ତିରେ ନିୟୋଜିତ କରିବାକୁ ଅଭିଭାବକମାନେ ଉଚିତ ଭାବୁଛନ୍ତି ।