ଭୁବନେଶ୍ୱର: ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସକାଳୁ ସକାଳୁ କଲବଲ କରୁଛି ଘନ କୁହୁଡି । ରାଜ୍ୟରେ ଆହୁରି ତିନିଦିନ ଘନ କୁହୁଡି ଜାରି ରହିବ । ଏଥିପାଇଁ ଆଜି ୧୪ ଜିଲ୍ଲାକୁ ୟୋଲୋ ୱାଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। ଘନ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟବସ୍ତ । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ। ଆହୁରି ତିନି ଦିନ ଯାଏ ମିଳିବନି ମୁକ୍ତି।
କୁହୁଡି ପାଇଁ ରାସ୍ତାଘାଟ ଦିଶୁନାହିଁ । ଏଥିପାଇଁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ଅନେକ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଘନ କୁହୁଡି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି।