ଭୁବନେଶ୍ୱର : ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାର ନଥିବା ମହିଳା ଆବେଦନକାରୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଏନ୍ପିସିଆଇ ତ୍ରୁଟି ଯୋଗୁଁ ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ସେ କହିଛନ୍ତି ଯେ, ଏନ୍ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାନ୍ତି। ତେଣୁ ଆସନ୍ତାକାଲି ଓ ପଅରଦିନ ଅର୍ଥାତ୍ ଜାନୁଆରି ୨୯ ଓ ୩୦ ରେ ଏନ୍ପିସିଆଇଜନିତ ତ୍ରୁଟି ଥିବା ମହିଳମାନେ ବ୍ୟାଙ୍କକୁ ଯାଆନ୍ତୁ। ଏହି ଦୁଇଦିନ ବ୍ୟାଙ୍କର କର୍ମଚାରୀମାନେ ସୁଭଦ୍ରା ପାଇଁ ଯାଇଥିବା ମହିଳାମାନଙ୍କର କାମକୁ ଗୁରୁତ୍ବ ଦେବେ। ଯେଉଁମାନଙ୍କୁ ବ୍ୟାଙ୍କ ସମସ୍ୟା ପାଇଁ କଲ୍ ଆସିଛି ସେମାନେ କେବଳ ଯାଆନ୍ତୁ। ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି ଏନ୍ପିସିଆଇ ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।
ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ଆବେଦନକାରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ସହାୟତା ଦିଆଯାଇଛି । ହିତାଧିକାରୀଙ୍କର e-KYC ହେବା ଦରକାର ଓ ତାହା ଆଧାର ସହ ଲିଙ୍କ ହେବା ମଧ୍ୟ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି ଗତ ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପ୍ରଦାନ ସରିଛି। ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଖୁବଶୀଘ୍ର ମିଳିବ ବୋଲି କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ।