ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ୱାକ୍ଷର ହେଲା ୧୪୫ ଏମଓୟୁ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ପୂର୍ବରୁ ଏହି କାର୍ଯ୍ୟକ୍ରମ ଜରିଆରେ ୧୦୦ ଏମଓୟୁ ସ୍ୱାକ୍ଷର କରାଯିବ ବୋଲି ସରକାର ଆକଳନ କରୁଥିଲେ । ହେଲେ ଆଶା ଠାରୁ ଅଧିକ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ଦେଶ ବିଦେଶରୁ ଆସିଥିବା ବିଭିନ୍ନ ବଡ଼ ବଡ଼ ଶିଳ୍ପ ସଂସ୍ଥା ।
ଶିଳ୍ପ ମହାକୁମ୍ଭର ଶେଷ ଦିନରେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଓଡ଼ିଶା ଏବେ ବିଶ୍ୱସ୍ତରୀୟ ଶିଳ୍ପ ସଂସ୍ଥା ସହିତ ସହଭାଗିତାର ନୂଆ ଯୁଗ ଆରମ୍ଭ କରିବାକୁ ଯାଉଛି । ଏହି ଏମଓୟୁ ଗୁଡ଼ିକ ଜରିଆରେ ସମୁଦାୟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି । କେମିକାଲ, ପ୍ରେଟ୍ରୋକେମିକାଲ, ଟେକ୍ସଟାଇଲ, ମାଇନିଙ୍ଗ, ନବୀକରଣ ଶକ୍ତି, ଆଇଟି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପରି ବିଭିନ୍ନ କ୍ଷେତ୍ରରୁ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଛି । ଏହାଦ୍ୱାରା ରାଜ୍ୟରେ ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଆସିଛି । ଏଥିସହ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ।
ଅଧିକ ପଢନ୍ତୁ:ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ୱରେ ସାକାର ହେବ ବିକଶିତ ଓଡ଼ିଶାର ସ୍ୱପ୍ନ: ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ଦେଶର ଶିଳ୍ପ ହବ୍ ରେ ପରିଣତ କରିବାରେ ସହାୟକ ହେଉଛି 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫'। ପ୍ରଥମ ଦିନରେ ମୋଟ ୫୪ ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ସହ ପାଖାପାଖି ୪.୫ ଲକ୍ଷ କୋଟି ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ସେହିପରି ଦ୍ୱିତୀୟ ଦିନରେ ୯୧ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଆଗେଇ ନେବାକୁ ସହାୟକ ହେବ ଉତ୍କର୍ଷ ଓଡ଼ିଶା’ ।