ଭୁବନେଶ୍ୱର :ଆଜିଠାରୁ ଆରମ୍ଭ ହୋଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କନକ୍ଲେଭ୍ ଆରମ୍ଭରୁ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କରିଥିଲେ ମୋଦିଜୀ । ଏତେ ବଡ଼ ଆୟୋଜନ ପାଇଁ ରାଜ୍ଯ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।
ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଇତିହାସ ସାକ୍ଷୀ ରହିଛି ଯେ ବିଶ୍ବର ଉନ୍ନତିରେ ପୂର୍ବ ଭାରତର ବଡ଼ ଅବଦାନ ଅତୁଳନୀୟ। ଜଗନ୍ନାଥ ଭୂମି ଓଡ଼ିଶାରେ ଅନେକ ସମ୍ଭାବନା ରହିଛି। ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି। ପାରାଦୀପ, ଗୋପାଳପୁର ଭଳି ବନ୍ଦରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ଅଛି। ଏଠାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇଥିବା ବହୁତ ପ୍ରକଳ୍ପ ଚାଲିଛି। ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି। ଶିଳ୍ପପତି ମାନଙ୍କ ଉଦ୍ଦେଶ୍ଯରେ ମୋଦୀ କହିଛନ୍ତି ଯେ ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି ଏମଏସଏମଇ (MSME)କୁ ସପୋର୍ଟ କରନ୍ତୁ। ଏଠାରେ ଆଧୁନିକ ଇକୋ ସିଷ୍ଟମ ପାଇଁ ଆହ୍ବାନ କରୁଛି। ଏହା ଦ୍ବାରା ଓଡ଼ିଶାର ଯୁବ ପିଢ଼ି ନିଯୁକ୍ତି ପାଇବେ ଯାହା ଦ୍ବାରା ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ। ଏହି ରାଜ୍ୟ ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ ଅଟେ ଯାହାର ଉଦାହରଣ ସ୍ବରୂପ ଆମେ ଏଥିପାଇଁ G-20ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲୁ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାରେ ୫ ଶହ କିମିର ସମୁଦ୍ର ବେଳାଭୂମି ରହିଛି। ଓଡ଼ିଶାକୁ ସମୃଦ୍ଧ କରିବାକୁ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଓଡ଼ିଶା ପ୍ରତି ମୋର ଭଲ ପାଇବା ରହିଛି ସେଥିପାଇଁ ମୁଁ ୩୦ ଥର ଓଡିଶା ଆସିଲିଣି। ସ୍ବାଧୀନ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ଥର ଓଡିଶା ଆସିଛି । ବର୍ତ୍ତମାନ AIର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ । ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ବ କରୁଛି। ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନଥିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।