ଭୁବନେଶ୍ୱର: ଚୋରଙ୍କ ଟାର୍ଗେଟରେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର । ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ରହୁଥିବା ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଆରସି କଲୋନୀରୁ ଚୋରି ଉଦ୍ୟମ ହୋଇଛି । ତେବେ ଘର ଲୋକ ଉଠିଯିବାରୁ ଚୋରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍ ଭଳି ହାଇପ୍ରୋଫାଇଲ୍ ଅଞ୍ଚଳରେ ପୁଣି ଥରେ ଚୋରି ଉଦ୍ୟମ ହୋଇଛି । ଜଣେ ବ୍ୟକ୍ତି ନିରଞ୍ଜନଙ୍କ ଘର ଛାଡ଼ି ଅନ୍ୟ ଘରଗୁଡ଼ିକରେ ପ୍ରଥମେ ଦେଖିଥିଲା । ଏହା ପରେ N/25ରେ ଚୋରି କରିବାକୁ କାନ୍ଥ ଡେଇଁ ଯାଇଥିଲା । ମାତ୍ର ସେହି ଘରର ପରିବାର ଲୋକ ଦେଖିଦେବାରୁ ତାକୁ ଧରି ନେଇଥିଲେ । ଏହା ପରେ ନୟାପଲ୍ଲୀ ଥାନା ପୋଲିସ ନିକଟରେ ଜିମା ଦେଇଥିଲା । ପୋଲିସ ଉକ୍ତ ବ୍ୟକ୍ତିକୁ ପଚରା ଉଚରା କରୁଥିବା ଜଣାପଡ଼ିଛି । ତେବେ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ତେବେ ନିରଞ୍ଜନ ପଟ୍ଟନାୟକ ତାଙ୍କ ଘରୁ ହୋଇଥିବା ଚୋରି ଏବଂ ଗତକାଲିର ଚୋରିରେ ଅଭିଯୁକ୍ତ ସମାନ ନୁହଁନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ତାଙ୍କ ଘରୁ ଯେଉଁ ଚୋରି ହୋଇଥିଲା ତାହା ଜଣେ ପେସାଦାର ଚୋର ଥିଲା । ସେ ଡ୍ରେସ୍, ଗ୍ଲୋବ୍ସ ଓ ମାସ୍କ ପିନ୍ଧିକି ଆସିଥିଲା । ଘରେ ଥିବା ଭଲ ଭଲ ଜିନିଷ ଛାଡ଼ି ଦେଇଥିଲା । ଖାଲି ନଗଦ ଟଙ୍କା ଓ ସୁନା ନେଇଯାଇଥିଲା । କିନ୍ତୁ ଗତକାଲି ଯେଉଁ ଚୋରି ଉଦ୍ୟମ ହୋଇଛି ସେ ଚୋର ନିଶାସକ୍ତ ଅବସ୍ଥାରେ ଥିବା ଭଳି ମନେ ହେଉଛି ।
ଗତ ୨୪ ତାରିଖ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ ଧରଣର ଚୋରି ହୋଇଥିଲା । ଜଣେ ମୁଖା ପିନ୍ଧା ବ୍ୟକ୍ତି ନିରଞ୍ଜନ ପଟ୍ଟାନାୟକଙ୍କ ଘରେ ପଶିବା ସହିତ ନଗଦ ଟଙ୍କା ଓ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲା ।