ପ୍ରୟାଗରାଜ/ନୂଆଦିଲ୍ଲୀ: ପବିତ୍ର ମୌନି ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ କୋଟିକୋଟି ଲୋକଙ୍କର ସମାଗମ ହୋଇଛି। ତେବେ ବୁଡ଼ ପୂର୍ବରୁ ଆଜି ହଇଚଇ ସୃଷ୍ଟି ହୋଇଛି। ଦଳାଚକଟା କାରଣରୁ ଏଠାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମେଳା ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମହାକୁମ୍ଭରେ ଦଳାଚକଟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଥା ହୋଇଛନ୍ତି।
ଦଳାଚକଟା ଅଘଟଣ ପରେ ଆଖଡ଼ାମାନଙ୍କର ଅମୃତ ସ୍ନାନ ବନ୍ଦ ସ୍ଥଗିତ ରଖାଯାଇଛି। କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନଦେବାକୁ ମେଳା ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଏଥିସହିତ ସଂଯମ ରଖିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ସମସ୍ତ ଆଖଡ଼ା ମୌନି ଅମାବାସ୍ୟାରେ ଅମୃତ ସ୍ନାନକୁ ସ୍ଥଗିତ କରିଛନ୍ତି। ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମହାକୁମ୍ଭ ମେଳାରେ ସ୍ଥାପିତ ଡାକ୍ତରଖାନାକୁ ଅଣାଯାଇଛି। ଆହତଙ୍କ ଚିକିତ୍ସା ଚାଲିଛି।
ଏହି ଘଟଣାରେ ଆଖଡ଼ା ପରିଷଦ ସଭାପତି ରବୀନ୍ଦ୍ର ପୁରୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତେ ସଙ୍ଗମରେ ଗାଧୋଇବାକୁ ଚାହାଁନ୍ତି, ତେଣୁ ଏହି ଦୁର୍ଘଟଣା ଘଟିଛି। ଯେଉଁଠି ବିଶୁଦ୍ଧ ପାଣି ଦେଖିବାକୁ ମିଳିବ ସେଠାରେ ଗାଧୋଇବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ମହାକୁମ୍ଭ ମେଳା ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। ମଙ୍ଗଳବାର ରାତି ପ୍ରାୟ ୨ଟା ରେ ଏହି ଘଟଣା ଘଟିଥିବା କୁହାଯାଉଛି। ଆଜି ମୌନି ଅମାବାସ୍ୟାରେ କୋଟି କୋଟି ଲୋକ ପହଞ୍ଚିବେ ବୋଲି ଆଶା କରାଯାଉଛି।