ନୂଆଦିଲ୍ଲୀ: ଯମୁନାରେ ବିଷ ମିଶାଇବା ପରି ଅତ୍ୟନ୍ତ ନିନ୍ଦନୀୟ ବୟାନ ଦେଇ ଅଡୁଆରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ନିର୍ବାଚନ ଆୟୋଗ ଆମ୍ ଆଦାମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରି ଯମୁନାରେ ବିଷ ଦାବି ଉପରେ ପ୍ରମାଣ ମାଗିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯମୁନା ନଦୀରେ ବିଷ ମିଶାଇବା ଏବଂ ଦିଲ୍ଲୀରେ ନରସଂହାର ନେଇ କରିଥିବା ସଙ୍ଗୀନ ଅଭିଯୋଗ ଉପରେ କେଜ୍ରିୱାଲ ତଥ୍ୟ ସହ ପ୍ରମାଣ କରନ୍ତୁ । ନିର୍ବାଚନ ଆୟୋଗ ବୁଧବାର ରାତି ୮ଟା ସୁଦ୍ଧା ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ଦାବି ଉପରେ ପ୍ରମାଣ ଦେବାକୁ କହିଛନ୍ତି । ଏଥିସହ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି ଆୟୋଗ ।
ନିର୍ବାଚନ ଆୟୋଗ କହିଛନ୍ତି, \'ଆପଣଙ୍କ ପରି ନେତାଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଶୋଭା ପାଏନି । ଜଣେ ଅନୁଭବୀ ବରିଷ୍ଠ ନେତା ହୋଇଥିବା କାରଣରୁ ସାର୍ବଜନୀନ ରୂପେ ପଡ଼ୋଶୀ ରାଜ୍ୟରେ ଯମୁନାରେ ବିଷ ମିଶାଯାଉଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ପର୍ୟ୍ୟାପ୍ତ ପ୍ରମାଣ ରହିବା ଦରକାର । ଏହାସହ ଯମୁନାକୁ ବିଷାକ୍ତ କରିବା ପାଇଁ କେଉଁ ପ୍ରକାର ଏବଂ କେତେ ମାତ୍ରାର କେମିକଲ୍ ବ୍ୟବହାର କରାଯାଇଥିଲା, ଯେଉଁଥିରେ ଦିଲ୍ଲୀରେ ନରସଂହାର ହୋଇଥାନ୍ତା, ତାର ମଧ୍ୟ ପ୍ରମାଣ ରହିବା ଦରକାର ।\' ଆପଣଙ୍କ ପରି ବ୍ୟକ୍ତି ଯଦି ଏହିପରି ଅଭିଯୋଗ କରିବେ ତାହାକୁ ଲୋକେ ଗ୍ରହଣ କରି ନେବେ । କାରଣ ଆପଣଙ୍କ ପରି ନେତାଙ୍କ କଥାକୁ ଲୋକେ ବିଶ୍ୱାସ କରି ନେବେ ।
ନିର୍ବାଚନ ଆୟୋଗ ନିଜ ନୋଟିସରେ ଆପର ରାଷ୍ଟ୍ରୀୟ ସଂଯୋଜକଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କହିଛନ୍ତି । ରାଷ୍ଟ୍ରୀୟ ଏକତା ବିରୋଧରେ ବିଭ୍ରାନ୍ତିକର ବୟାନ ପାଇଁ ତିନି ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି । । ଏହାସହ ଏହିପରି ଅଭିଯୋଗ ଯୋଗୁଁ ଦୁଇ ପଡ଼ୋଶୀ ରାଜ୍ୟର ଲୋକଙ୍କ ମଧ୍ୟରେ ମତଭେଦ ବଢିବାର ଭୟ ମଧ୍ୟ ରହିଛି ।
ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସାମ୍ୱାଦିକ ସମ୍ମିଳନୀ କରି ଦାବି କରିଥିଲେ ଯେ ଯମୁନାରେ ଆମୋନିଆ ମାତ୍ରାକୁ ହରିୟାଣା ପଟୁ ଅଧିକ ଛଡା ଯାଇଛି । ଏହାପରେ ଅରବିନ୍ଦ କେଜ୍ରିୱାଲ ହରିୟାଣାର ବିଜେପି ସରକାର ଦିଲ୍ଲୀକୁ ଆସୁଥିବା ଯମୁନା ପାଣିରେ ବିଷାକ୍ତ କରୁଥିବା ଅଭିଯୋଗ କରିଥିଲେ । କିନ୍ତୁ ଦିଲ୍ଲୀ ଜଳ ବୋର୍ଡର ଇଞ୍ଜିନିୟର୍ସ ଠିକ୍ ସମୟରେ ସେହି ପାଣିକୁ ବର୍ଡରରେ ଅଟକାଇଥିଲେ । ଯଦି ପାଣି ଦିଲ୍ଲୀ ଭିତରକୁ ଆସିଥାନ୍ତା ତେବେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା ଏବଂ ନରସଂହାର ହୋଇଥାନ୍ତା । ତାଙ୍କର ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି । ଆଉ ମାମଲା ଇସିଆଇଙ୍କଠାରେ ପହଞ୍ଚିଛି । ଆସନ୍ତାକାଲି ସୁଦ୍ଧା କେଜ୍ରିୱାଲଙ୍କୁ କ୍ଷମା ମାଗିବାକୁ ପଡିବ ।