ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରରେ ଦଳାଚକଟା ଘଟଣାରେ ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପ୍ରଶାସନ ଏହାର ସୂଚନା ଦେଇଛନ୍ତି। ମହାକୁମ୍ଭର ଡିଆଇଜି ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣାକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୌନି ଅମାବାସ୍ୟା ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ। ସେହି ସମୟରେ ଭିଡ଼ ଅସମ୍ଭାଳ ହେବାରୁ ବ୍ୟାରିକେଡ୍ ଭାଙ୍ଗି ଲୋକେ ମାଡ଼ି ଆସିଥିଲେ। ଫଳରେ ଦଳଚକଟା ଘଟିଥିଲା।
ଡିଆଇଜି ବୈଭବ କୃଷ୍ଣ କହିଛନ୍ତି, ଅଖାଡ଼ା ମାର୍ଗରେ ରାତି ୧ଟାରୁ ୨ଟା ମଧ୍ୟରେ ଭିଡ଼ର ଚାପ ଅହେତୁକ ବଢିଥିଲା ଏବଂ ବ୍ୟାରିକେଡ୍ ଭାଙ୍ଗି ଲୋକେ ଭିତରକୁ ପଶି ଆସିଥିଲେ ଏବଂ ସେଠାରେ ସ୍ନାନ ପାଇଁ ପୂର୍ବରୁ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଚଢି ଯାଇଥିଲେ। ଏହି ହୃଦୟ ବିଦାରକ ଘଟଣାରେ ମୋଟ୍ ୯୦ ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏଥିରୁ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଆହତଙ୍କୁ ନେଇ ସେମାନଙ୍କ ପରିଜନ ଘରକୁ ଚାଲି ଯାଇଛନ୍ତି। ୩୬ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି।
ଡିଆଇଜି କହିଛନ୍ତି, ମୃତକ ୩୦ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୨୫ ଜଣଙ୍କ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୪ ଜଣ କର୍ଣ୍ଣାଟକର। ଜଣେ ଲେଖାଏଁ ଗୁଜରାଟ ଓ ଆସାମର ଶ୍ରଦ୍ଧାଳୁ। ଦଳାଚକଟାରେ ନିଖୋଜ ହୋଇ ଯାଇଥିବା ଏବଂ ବାଟ ପାଉ ନ ଥିବା ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ୧୯୨୦ ଜାରି କାରି କରାଯାଇଛି। ମୌନି ଅମାବାସ୍ୟାରେ ଭିଆଇପି ପ୍ରଟୋକଲ ନ ଥିଲା। ପ୍ରଶାସନ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଅମୃତ ସ୍ନାନ ଦିନ କୌଣସି ଭିଆଇପି ପ୍ରଟୋକଲ ହେବ ନାହିଁ। ଅସମ୍ଭାଳ ଭିଡ଼ ହେବାରୁ ଚେଜିଂ ରୁମର ଗେଟ୍ ମଧ୍ୟ ଲୋକଙ୍କ ଉପରେ ପଡ଼ିଥିଲା।
ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ଘଟିଥିବା ପରିଜନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏହା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି ତଦନ୍ତ ପୋଲିସ ତଦନ୍ତଠୁ ଭିନ୍ନ ରହିବ। ଏହା ବାଦ୍ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଗୁରୁବାର ପ୍ରୟାଗରାଜ ଯିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦେଶ ଦେଇଛନ୍ତି।