ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବିଜୟ ଚୌକଠାରେ ସାଧାରଣତନ୍ତ୍ର ଦିବସ ସମାରୋହ ଉଦଯାପିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧ୍ୱଜାବତରଣ ସମାରୋହରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ମଧ୍ୟ ଯୋଗ ଦେଇଛନ୍ତି ।
ଅସ୍ତମିତ ସୂର୍ଯ୍ୟଙ୍କ ଅଲୌକିକ ଦୃଶ୍ୟ ସହିତ ତିନି ସେନାର ବିଭିନ୍ନ ବ୍ୟାଣ୍ଡ୍ ପକ୍ଷରୁ ଦେଶାତ୍ମବୋଧକ ଧୁନ୍ ପରିବେଷଣ କରାଯାଇଥିଲା । ଯାହାକି ସମସ୍ତଙ୍କୁ ମନକୁ ବେଶ ଆନ୍ଦୋଳିତ କରିଥିଲା । ବାୟୁ ସେନା, ସ୍ଥଳ ସେନା ଏବଂ ଜଳ ସେନା ପକ୍ଷରୁ ଧୁନ୍ ପରିବେଷଣ ହୋଇଥିଲା । ସେନାର ବ୍ୟାଣ୍ଡ୍ ର ତାଳରେ ପ୍ରକମ୍ପିତ ହୋଇଥିଲା ବିଜୟ ଚୌକ । ବ୍ୟାଣ୍ଡ୍ ଦ୍ୱାରା ଭାରତୀୟ ବାୟୁ ସେନା ସିମ୍ବଲ୍, ସଂସଦ ଭବନ, ଗାଲାକ୍ସି, ଜିଗ୍ ଜାଗ୍, ସେଭ୍ ଅର୍ଥ୍ (Save Earth), ମଶାଲ୍, କୋରବ ଓ ପାଣ୍ଡବଙ୍କ ଯୁଦ୍ଧ ଅସ୍ତ୍ର, ଏକ୍ ପେଡ୍ ମା କେ ନାମ୍ ର ଲୋଗୋ ଭଳି ଚିହ୍ନ ପ୍ରସ୍ତୁତ କରାଯାଇଥିଲା । ଯାହାକି ବେଶ ଆକର୍ଷଣୀୟ ଥିଲା ।
ଧ୍ୱଜାବତରଣ ସମାରୋହ ସାଧାରଣତନ୍ତ୍ର ଦିବସର 3 ଦିନ ପରେ ଅର୍ଥାତ୍ ଜାନୁୟାରୀ 29ରେ ଅନୁଷ୍ଠିତ ହୋଇଥାଏ । ୧୯୫୦ ଦଶକରେ 'ବିଟିଂ ରିଟ୍ରିଟ୍' ଆରମ୍ଭ ହୋଇଥିଲା । ଏହାକୁ ଭାରତୀୟ ସେନାର ମେଜର ରବର୍ଟସ୍ ସ୍ୱଦେଶୀ ଭାବରେ ସାମୂହିକ ବ୍ୟାଣ୍ଡ୍ ଦ୍ୱାରା ପ୍ରଦର୍ଶନର ଅନନ୍ୟ ଉତ୍ସବକୁ ବିକଶିତ କରିଥିଲେ । ଏହା ଏକ ଭାରତୀୟ ସାମରିକ ପରମ୍ପରାକୁ ଦର୍ଶାଇଥାଏ । ଯେତେବେଳେ ସୈନ୍ୟମାନେ ଯୁଦ୍ଧ ବନ୍ଦ କରିଦିଅନ୍ତି, ସେମାନଙ୍କର ଅସ୍ତ୍ରଶସ୍ତ୍ର ଆବରଣ କରନ୍ତି, ଯୁଦ୍ଧକ୍ଷେତ୍ରରୁ ପ୍ରତ୍ୟାହାର କରନ୍ତି ଏବଂ ପ୍ରତ୍ୟାହାର ଶବ୍ଦ ଶୁଣି ସୂର୍ଯ୍ୟାସ୍ତ ସମୟରେ ଶିବିରକୁ ଫେରିଯାଆନ୍ତି । ବିଟିଂ ରିଟ୍ରିଟ ଉତ୍ସବରେ ରଙ୍ଗ ଏବଂ ମାନଦଣ୍ଡକୁ କାଢ଼ି ଦିଆଯାଏ ଏବଂ ପତାକାକୁ ତଳକୁ ନିଆଯାଏ।
ଏହି ସମାରୋହରେ ଭାରତୀୟ ସେନା, ନୌସେନା, ବାୟୁସେନା, ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ବ୍ୟାଣ୍ଡ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥାଏ । ୧୯୫୦ରେ ରାଣୀ ଏଲିଜାବେଥ ଏବଂ ପ୍ରିନ୍ସ ଫିଲିପ୍ ଙ୍କ ରାଜ୍ୟ ଗସ୍ତ ସମୟରେ ଅନୁଷ୍ଠିତ ହୋଇଥିଲା । ସେବେଠାରୁ, ଏହି ସମାରୋହ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ବାର୍ଷିକ କାର୍ଯ୍ୟକ୍ରମ ପାଲଟିଛି ।