ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ହୋଇଥିବା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଉତ୍ତର ପ୍ରଦେଶ ସରକାରଙ୍କ ସହିତ ଲଗାତର ଯୋଗାଯୋଗରେ ପ୍ରଧାନମନ୍ତ୍ରୀ ଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ଦୁଃଖ ପ୍ରକାଶ କରି କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ ଅଟେ । ମୁଁ ମୃତ ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି ଏବଂ ସମସ୍ତ ଆହତ ଶ୍ରଦ୍ଧାଳୁ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି”।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏଥିରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ, ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାରେ ନିୟୋଜିତ ଅଛି । ଏ ସମ୍ପର୍କରେ, ମୁଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥା ହୋଇଛି ଏବଂ ମୁଁ ନିରନ୍ତର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛି”।
ମୌନୀ ଅମାବାସ୍ୟାରେ ଅମୃତ ବେଳାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏଥିରେ ଦଳାଚକଟାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହା ସହିତ ଅନେକ ସଂଖ୍ୟାରେ ଭକ୍ତ ଆହତ ହୋଇଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକି ଗୋଟିଏ ସ୍ଥାନରେ ସ୍ନାନ ନ କରି ଗଙ୍ଗା ନଦୀର ଅନ୍ୟ ତଟରେ ସ୍ନାନ କରିବାକୁ ନିବେଦନ କରିଛନ୍ତି । ଏହା ସହିତ କୌଣସି ଗୁଜବକୁ ଧ୍ୟାନ ନ ଦେଇ ପ୍ରଶାସନ ସହିତ ସହଯୋଗ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି ।