ଭୁୁବନେଶ୍ୱର: ଭୂମିହୀନ ଚାଷୀଙ୍କ ପାଇଁ ଖୁସିର ଖବର । ରାଜ୍ୟ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି ‘ବଳରାମ’ ଯୋଜନାର ହିତାଧିକାରୀଙ୍କ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସଂକଳ୍ପପତ୍ର ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ ଡିସେମ୍ବର ୬ତାରିଖରେ ଏକ ସର୍କୁଲାର ଜାରି କରି ବନ୍ଧକମୁକ୍ତ କୃଷି ଓ କୃଷିଜାତ କାର୍ୟ୍ୟ ନିମନ୍ତେ ଋଣ ପରମାଣକୁ ୧.୬୦ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ତେଣୁ ରାଜ୍ୟ ସରକାର ବଳରାମ ଯୋଜନାର ଗାଇଡଲାଇନରେ ସଂଶୋଧନ କରି ଋଣ ପରିମାଣକୁ ୧.୬୦ଲକ୍ଷ ଟଙ୍କା ପରିବର୍ତ୍ତେ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଭୂମିହୀନ ଚାଷୀଙ୍କୁ ରିହାତି ଦରରେ ସହଜରେ କୃଷି ଋଣ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ୨୦୨୦ ମସିହାରୁ ‘ବଳରାମ’ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ଆଉ ଏବେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ରାଶିକୁ ବଢାଇଛନ୍ତି ।