ପ୍ରୟାଗରାଜ: ମହାକୁମ୍ଭରେ ଦଳାଚକଟା ପାଇଁ ସ୍ଥଗିତ ରହିଥିବା ଅମୃତ ସ୍ନାନ ପୁଣି ଥରେ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି । ଅନ୍ୟପକ୍ଷରେ ଅଘଟଣ ପରେ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ନ କରିବାକୁ ନିଷ୍ପତି ନେଇଥିବା ଅଖଡ଼ାଗୁଡ଼ିକ ସ୍ନାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ପୁଣି ଥରେ ଅମୃତ ବେଳା ଆସିବା ପରେ ପ୍ରଶାସନ ପକ୍ଷରୁ ବୁଡ଼ ପକାଇବାକୁ ଅନୁମତି ପ୍ରଦାନ କରାଯାଇଛି । ଅଖଡ଼ାର ସାଧୁସନ୍ଥମାନେ ଶୋଭାଯାତ୍ରାରେ ଆସି ସଙ୍ଗମ ସ୍ଥଳରେ ପହଁଚୁଛନ୍ତି । ଏହା ପରେ ତ୍ରିବେଣୀ ସଙ୍ଗମରେ କରୁଛନ୍ତି ଅମୃତ ସ୍ନାନ । ଆଜି ୧୦ଟା ସୁଦ୍ଧା ପ୍ରାୟ ୩ କୋଟି ୬୧ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି । ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ୨୦ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି । ଆଜି ପ୍ରାୟ ୮ରୁ ୧୦ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାର ଆକଳନ କରାଯାଇଛି ।
ମହାକୁମ୍ଭରେ ଅଘଟଣ ପରେ ବିଭିନ୍ନ ଅଖଡ଼ା ପରିଷଦ ପକ୍ଷରୁ ଅମୃତ ସ୍ନାନକୁ ବନ୍ଦ ରଖାଯାଇଥିଲା । ବସନ୍ତ ପଞ୍ଚମୀ ଅବସରରେ ବୁଡ଼ ପକାଇବେ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅମୃତ ସ୍ନାନ ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ- ମହାକୁମ୍ଭରେ ଦଳାଚକଟା ପରେ ଅଟକିଲା ଅମୃତ ସ୍ନାନ, ଆଖଡ଼ା ପରିଷଦ ନେଲା ନିଷ୍ପତ୍ତି