ନୂଆଦିଲ୍ଲୀ: ସମଗ୍ର ଦେଶରେ ମେଡିକାଲ୍ କଲେଜରେ ନାମଲେଖାକୁ ନେଇ ଜାରି ସଂରକ୍ଷଣ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ମେଡିକାଲ୍ କଲେଜରେ ପୋଷ୍ଟ ଗ୍ରାଜୁଏଟ(ପିଜି) କୋର୍ସେସ୍ରେ ବାସସ୍ଥାନ ଆଧାରରେ ସଂରକ୍ଷଣର ଲାଭ ମିଳିବ ନାହିଁ । ତେଣୁ କୋର୍ଟ ଏହାକୁ ସାମ୍ବିଧାନିକ ମାନିଛନ୍ତି ।
କୋର୍ଟ ଏମିତି ସଂରକ୍ଷଣ ବ୍ୟବସ୍ଥାକୁ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ହେଉଥିବା ଦର୍ଶାଇ କହିଛନ୍ତି ଯେ, ଏହାକୁ ଏବେ ଆଉ ଲାଗୁ କରାଯିବ ନାହିଁ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ପୀଠରେ ଜଷ୍ଟିସ ଋଷିକେଶ ରୟ, ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଏସଭିଏନ ଭଟ୍ଟି ସାମିଲ । ପୀଠ କହିଛନ୍ତି, ଆମେ ସବୁ ଭାରତର ନିବାସୀ । ଏଠାରେ ରାଜ୍ୟ କିମ୍ବା ପ୍ରାନ୍ତୀୟ ଆଞ୍ଚଳିକ ଭାବନା କିଛି ନାହିଁ । ଆମେ ସବୁ ଭାରତର ନିବାସୀ ।
ଏହା ସହିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୯ ଆଧାରରେ ପ୍ରତି ନାଗରିକଙ୍କୁ ଭାରତର କୌଣସି ବି ଭାଗରେ ରହିଲେ ମଧ୍ୟ କାରବାର ଓ ପେଶାଦାର କାର୍ଯ୍ୟ କରିବାର ଅଧିକାର ରହିଛି । ଏହି ଅଧିକାର ଶିକ୍ଷାନୁଷ୍ଠାନରେ ନାଲ ଲେଖା ସଂଦର୍ଭରେ ମଧ୍ୟ ଲାଗୁ ହେବ । କୌଣସି ଅଞ୍ଚଳର ନିବାସୀ ଆଧାରରେ କୌଣସି ବି ପ୍ରତିବନ୍ଧକ ପିଜି ସ୍ତର ପାଠ୍ୟକ୍ରମରେ ବଡ ବାଧକ ସାଜିଥାଏ । ଏହାକୁ ନାମଲେଖାରେ ଲାଗୁ କରାଯାଇ ପାରିବ ନାହିଁ ।
ସୁପ୍ରିମକୋର୍ଟ ଏହା ସ୍ୱୀକାର କରିଛନ୍ତି ଯେ, କିଛି ମାତ୍ରାରେ ବାସସ୍ଥାନ ଆଧାରରେ ଏମବିବିଏସରେ ନାମଲେଖା ଲେଖା ଯାଇ ପାରିବ । ମାତ୍ର ପିଜି ମେଡିକାଲ୍ ପାଠ୍ୟକ୍ରମରେ ଏହାକୁ ଲାଗୁ କରାଯାଇ ପାରିବ ନାହିଁ । ଏହାର କାରଣ ପିଜି ପାଠ୍ୟକ୍ରମରେ ବିଶେଷଜ୍ଞତା ଓ ଦକ୍ଷତା କୌଶଳ ବହୁତ ମହତ୍ୱ ବହନ କରେ । ଏଥିରେ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ଅଧିକ ରହିଛି । ଏଥିପାଇଁ ବାସସ୍ଥାନ ଆଧାରରେ ସଂରକ୍ଷଣ ଦେବା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁଛି ।
ତେବେ କୋର୍ଟ ସେହି ଛାତ୍ରମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି, ଯେଉଁମାନେ ବର୍ତ୍ତମାନ ବାସସ୍ଥାନ ଆଧାରରେ ସଂରକ୍ଷଣ ଆଧାରରେ ପିଜି ମେଡିକାଲ୍ ପାଠ୍ୟକ୍ରମରେ ଆଡମିଶନ ନେଇ ସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିୟମ ଆଗାମୀ ନାଲଲେଖା ସମୟରେ ଲାଗୁ ହେବ ।