ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶାରେ ନିବେଶ ପାଇଁ ବଢିଲା ଆଗ୍ରହର ସୁଅ । କେନ୍ଦୁଝରରେ ଇସ୍ପାତ ପ୍ଲାଣ୍ଟ ତିଆରି କରିବ ଜେଏସଡବ୍ଲୁ୍ୟ । ଏଥିପାଇଁ ୩୦ରୁ ୪୦ ହଜାର କୋଟିର ନିବେଶ ଲକ୍ଷ୍ୟ ରଖାଯାଇଛି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବା ଅବସରରେ ଏହା କହିଛନ୍ତି ଜେଏସଡବ୍ଲୁ୍ୟ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ । ସେହିପରି ପୋସ୍କୋ ସହ ଆଲୋଚନା ଚାଲିଥିବା ନେଇ ମଧ୍ୟ ସେ କହିଛନ୍ତି । ପାରାଦୀପରେ ୧୨ ନିୟୁତ ଟନ୍ ଷ୍ଟିଲ୍ ପ୍ଲାଣ୍ଟ କାମ ଚାଲିଛି । ଝାରସୁଗୁଡାରେ ବିପିଏସ୍ଏଲ୍କୁ ପରିବର୍ଦ୍ଧିତ କରାଯିବ । ୫ ବର୍ଷରେ ଓଡିଶାରେ ୧ ଲକ୍ଷ କୋଟି କୋଟି ନିବେଶ ଲକ୍ଷ୍ୟ ରଖାଯାଇଛି ।
ସେହିପରି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ କହିଛନ୍ତି, ରାୟଗଡାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ପ୍ଲାଣ୍ଟ କରାଯିବ । ପୁରୀରେ ବିଶ୍ୱବିଦ୍ୟାଳୟ ପାଇଁ ଚାଲିଛି ଜମି ଖୋଜା । ଏନେଇ ବେଦାନ୍ତର ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ସେହିପରି ଓଡ଼ିଶାରେ ୫୦ ହଜାର କୋଟି ବିନିଯୋଗ କରିବ ଆଦିତ୍ୟବିର୍ଲା ଗ୍ରୁପ୍ । ଏନେଇ ଆଦିତ୍ୟବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ସୂଚନା ଦେଇଛନ୍ତି ।
ଆବାଡା ଗ୍ରୁପ୍ ମୁଖ୍ୟ ଭିନୀତ ମିତ୍ତଲ କହିଛନ୍ତି, ଗୋପାଳପୁରରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ୍ । ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ୍ । ପାରାଦୀପରେ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ ମଧ୍ୟ କରିବ ।
ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭରେ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତାକାଲି ଯାଏଁ ଚାଲିବ । ଏହି କନକ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେଇଛନ୍ତି । ଏହି କନକ୍ଲେଭରେ ଏଲ୍.ଏନ୍. ମିତ୍ତଲ, କୁମାର ମଙ୍ଗଳମ୍ ବିର୍ଲା, ଅନିଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି. ନରେନ୍ଦ୍ରନଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି । ଏଥିସହ ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନକ୍ଲେଭରେ ସାମିଲ ହୋଇଛନ୍ତି ।