ଭୁବନେଶ୍ୱର: ଏଣିକି ପାର୍ଟ ପ୍ଲଟ୍ କିଣିବିକାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ପାର୍ଟ ପ୍ଲଟ୍ ବିକ୍ରି ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି । ଏହା ସହିତ ଆପାର୍ଟିମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ବାଟ ଫିଟିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ରହିଥିବା କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଝିଅ ବାହାଘର ହେଉ କିମ୍ବା ଉଚ୍ଚ ଶିକ୍ଷା ପାଇଁ ଉପୁଜିଥିବା ସମସ୍ୟା ହଟିଯାଇଛି । ଏଣିକି ଜଣେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁଯାୟୀ ନିଜ ଜମିର ୫ ହଜାର ୨୦୦ ବର୍ଗଫୁଟ୍ର ପାର୍ଟ ପ୍ଲଟ୍ ବା ଅଂଶ ବିକ୍ରି କରିପାରିବେ, ଏଥିପାଇଁ ସମସ୍ତ କଟକଣା ହଟାଇ ଦିଆଯାଇଛି । ଷ୍ଟେକ୍ ହୋଲଡର୍ଙ୍କୁ ଆଖି ଆଗରେ ରଖି ବ୍ୟବସ୍ଥା କରାଯାଇଛି । କେବଳ କୃଷି ଜମି ଉପରେ ସମସ୍ତ କଟକଣା ହଟିଥିବାବେଳେ ଘର ବାଡ଼ି ଜମିରେ କଟକଣା ବଳବତ୍ତର ରହିଛି ।
ସେହିପରି ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ନେଇ ମଧ୍ୟ ବାଟ ଫିଟିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏଥିପାଇଁ ଫାଇଲ ପ୍ରୋସେସିଂ ଆରମ୍ଭ ହୋଇଛି, ଚୂଡ଼ାନ୍ତ ପ୍ରକ୍ରିୟାରେ ଅଛି । ପୂର୍ବ ସରକାର ସମସ୍ୟାର ଯଦି ସମାଧାନ କରିଥାନ୍ତେ ଲୋକ ହଇରାଣ ହୋଇନଥାନ୍ତେ ଏବଂ ରାଜ୍ୟ ସରକାରଙ୍କ ହଜାର ହଜାର କୋଟିର କ୍ଷତି ହୋଇନଥାନ୍ତା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।