ଭୁବନେଶ୍ୱର: କାମରେ ଠକୁଥିବା ଅପାରଗ ସରକାରୀ କର୍ମଚାରୀ ଓ ଅଧିକାରୀ ହୋଇଯାଆନ୍ତୁ ସାବଧାନ । ଏଣିକି କାମରେ ଠକିଲେ ଆଉ ନିସ୍ତାର ନାହିଁ । ସରକାରୀ କାର୍ଯ୍ୟରେ ଅବହେଳା ଦେଖାଇଲେ ଏଥର ବାଜିବ ସରକାରୀ ଛାଟ । ଅବସର ପୂର୍ବରୁ ଚାକିରିରୁ କରାଯିବ ବହିଷ୍କାର । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଚେତାବନୀ ଦେଇଉନ୍ତି । ଏଥିପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏ ସମ୍ପର୍କିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁ ନଥିବା ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ହେଉନାହିଁ । ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି । ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି । ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଓ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢନ୍ତୁ: ବାହାଘରରେ ସାମିଲ ହେବାକୁ ଯାଇଥିଲେ: ଭଉଣୀଙ୍କ ଅପମାନ ସହିନପାରି ହେଲେ ଥାନାର ଦ୍ୱାରସ୍ଥ