କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗ୍ରାମରେ ଶ୍ରମିକ ମୃତ୍ୟୁ ଘଟଣାରେ ମିଳିବ ସହାୟତା । ମୃତକ ପରିବାରକୁ ରେଡକ୍ରସ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।
ସଡ଼କ ଦୁର୍ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ₹୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନା ଥାଉକି ସୋମବାର ରାତିରେ ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଏକ ଭୟାନକ ଦୁର୍ଘଟଣା ଘଟିଛି।ପୂର୍ତ୍ତବିଭାଗର କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାର ପିଚୁମେସିନରେ ଦୁର୍ଘଟଣା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବିରେ ରେକୁଳା ଗ୍ରାମ ଛକଠାରେ ଗ୍ରାମବାସୀ ସକାଳ ୮ ଟା ଠାରୁ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ,ଏସଡିପିଓ ,ଉପଜିଲ୍ଲାପାଳ ଓ କାମାକ୍ଷାନଗର ବିଧାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ଦୁର୍ଘଟଣାରେ ମୃତ ପୂର୍ତ୍ତବିଭାଗ କର୍ମଚାରି ଖିରୋଦ ସାହୁଙ୍କ ପରିବାରଙ୍କ ମଧ୍ୟରୁ ଜଣକୁ ପୂର୍ତ୍ତବିଭାଗରେ ଚାକିରୀ ଓ ପରିବାରକୁ ଆବାସ ଯୋଜନାରେ ଘର ମିଳିବାର ପ୍ରତିଶୃତି ପରେ ପ୍ରାୟ ୩ ଘଣ୍ଟାପରେ ରାସ୍ତାରୋକ ହଟିଥିଲା ଏବଂ ଢେଙ୍କାନାଳ-କାମାକ୍ଷାନଗର ଯାତାୟାତ ସ୍ବାଭାବିକ ହୋଇଥିଲା।