ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ଜଣ ବିଧାୟକ ଗୃହରୁ ନିଲମ୍ବିତ ହୋଇଛନ୍ତି । ତୁରନ୍ତ ଗୃହ ପରିତ୍ୟାଗ କରିବାକୁ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି । ନିଲମ୍ବନ ପରେ ମଧ୍ୟ କଂଗ୍ରେସ ବିଧାୟକ ହଟ୍ଟଗୋଳ ଜାରି ରଖିଛନ୍ତି । ସେମାନଙ୍କୁ ଗୃହରୁ ତଡ଼ିବାକୁ ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏହା ସହିତ ଗୃହକୁ ଆହୁରି ୨୦ ମିନିଟ୍ ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଲଗାତର ଦୁଇ ସପ୍ତାହ ହେବ କଂଗ୍ରେସ ବିଧାୟକମାନେ ଗୃହରେ ଅଚଳାବସ୍ଥା ଜାରି ରଖିଥିଲେ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବି କରି ବିଧାନସଭାରେ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ । ଗତ କିଛି ଦିନ ଗୃହରେ ଘଣ୍ଟ, ଘଣ୍ଟା, ତୂରୀ, ମହୁରୀ, ବଂଶୀ ବଜାଇ ପ୍ରତିବାଦ କରୁଥିଲେ । ଫଳରେ ଗୃହକୁ ଚଳାଇବା ଅସମ୍ଭବ ହୋଇ ପଡ଼ିଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରାମ୍ବାର ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ଥିଲା । ତେବେ ଏ ନେଇ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ଫଳରେ ବାଚସ୍ପତି ୧୨ ଜଣ ସଦସ୍ୟଙ୍କୁ ୭ ଟି କାର୍ଯ୍ୟଦିବସରୁ ନିଲମ୍ବନ କରିଛନ୍ତି । କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଦ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ।