ପାରାଦୀପ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ଏବେ ସବୁଆଡେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯିବା ସହ ବନ୍ଦର ନିଷିଦ୍ଧାଞ୍ଚଳ ର ସମସ୍ତ ୫ଟି ଗେଟର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବନ୍ଧୁକଧାରୀ ସୁରକ୍ଷା କର୍ମୀ ଯଗି ରହିଥିବା ବେଳେ ବନ୍ଦର ମଧ୍ୟକୁ ଯାତାୟାତ କରୁଥିବା ଗାଡିମୋଟର ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତନତନ କରି ଯାଞ୍ଚ କରାଯାଉଛି। ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି।
ଅନ୍ୟପଟେ ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳ,ସ୍ଥଳ ଓ ବାୟୁସେନା ସଜାଗ ରହିଥିବା ବେଳେ ଉପକୂଳରେ ମେରାଇନ୍ ପୋଲିସ ପେଟ୍ରୋଲିଂ କରିବା ସହ ସରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପାରାଦୀପ ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ପାରାଦୀପ ବନ୍ଦର ସହ ବିଭିନ୍ନ ଶୀଳ୍ପସଂସ୍ଥା ବୃହତ ତୈଳ ବିଶୋଧନାଗାର ସହ ଦୁଇଦୁଇଟି ସାର କାରଖାନା ରହିଛି। ସେ ଦୃଷ୍ଟିରୁ ଯୁଦ୍ଧ ପରିସ୍ଥିତିକୁ ନଜର ରଖି ପ୍ରଶାସନ ତରଫରୁ ସୁରକ୍ଷାକୁ ନେଇ ସମସ୍ତ ପଦକ୍ଷେପ ନିଆଯାଉଛି।