ଭୁବନେଶ୍ୱର: ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଆସନ୍ତା ଏପ୍ରିଲ ୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଚନ୍ଦନ ମଞ୍ଜ କାଠ ବିଶ୍ଵସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ୟମରେ ବିକ୍ରି ହେବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି ।
ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଆସନ୍ତା ଏପ୍ରିଲ ୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଚନ୍ଦନ ମଞ୍ଜ କାଠ ବିଶ୍ଵସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ୟମରେ ବିକ୍ରି ହେବ । ଓଡ଼ିଶା ସରକାରଙ୍କ ସୁପାରିଶ କ୍ରମେ, ଭାରତ ସରକାରଙ୍କର ବାଣିଜ୍ୟ ଓ ଶିଳ୍ପ ବିଭାଗ ତରଫରୁ ଡିଜିଏଫଟି, ପ୍ରାରମ୍ଭିକ ପର୍ଯ୍ୟାୟରେ ୮୧୦.୧୮୯୪ ମେଟ୍ରିକ ଟନ ଉପରୁ ରପ୍ତାନି କଟକଣାକୁ କୋହଳ କରିଛନ୍ତି ଓ ସେଗୁଡ଼ିକୁ ୨୦୨୫ ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ, ବନ ଉନ୍ନୟନ ନିଗମ ୮୦୯.୭୮୪୪ ମେଟ୍ରିକ ଟନ ରକ୍ତ ଚନ୍ଦନ ମଞ୍ଜ କାଠ ବିଶ୍ଵସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ୟମରେ ବିକ୍ରି କରିବାପାଇଁ ପଦକ୍ଷେପ ନେଇଛି ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି, ଏହା ଭିତରେ ୩ଟି ପର୍ଯ୍ୟାୟରେ ରକ୍ତ ଚନ୍ଦନ କାଠ ବିକ୍ରୟ ହୋଇ ସାରିଛି ଓ ସମୁଦାୟ ୩୮.୭୦୮୨ ମେଟ୍ରିକ ଟନ ମଞ୍ଜ କାଠକୁ ୧୩ କୋଟି ୭୦ ଲକ୍ଷ ୭ ହଜାର ୨୭୯ ଟଙ୍କା ମୁଲ୍ୟରେ ବିକ୍ରି କରାଯାଇଛି । ଏହି ସବୁ କାଠଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ହାରାହାରି ୧ କୋଟି ୩୩ ଲକ୍ଷ ୨୧ ହଜାର ୨୧୧ ଟଙ୍କା ଖର୍ଚ୍ଚ ହୋଇଛି ।