ବେଙ୍ଗାଲୁରୁ: ସୁନା ଚାଲାଣ ମାମଲାରେ ଗିରଫ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପୋଲିସ ଲଗାତାର ଜେରା କରୁଛି । ମଙ୍ଗଳବାର ରାନ୍ୟା ସ୍ୱୀକାର କରିଛନ୍ତି ଯେ, ସେ ସୁନା କିଣିବା ପାଇଁ ବେଆଇନ ଅର୍ଥର ଉପଯୋଗ କରିଥିଲେ । ଡିଆରଆଇର ଓକିଲ ମଧୁ ରାଓ କୋର୍ଟକୁ ଏହି ବିଷୟରେ ଅବଗତ କରାଇଛନ୍ତି ।
ଏହି ଖୁଲାସା ପରେ ଯାଞ୍ଚ ଏଜେନ୍ସି ମାମଲାକୁ ଆହୁରି ଗମ୍ଭୀରତାର ସହ ନେଇଛନ୍ତି । ମାମଲାରେ ଡିଆରଆଇ ଧାରା ୧୦୮ ଆଧାରରେ ନୋଟିସ୍ ଜାରି କରିଛି । ଏଥିରେ ଆର୍ଥିକ ଅନିୟମିତତା ଏବଂ ଆଇନ ଉଲ୍ଲଂଘନର ଦିଗ ପ୍ରତି ତଦନ୍ତକୁ ବ୍ୟାପକ କରାଯିବ । ଯାଞ୍ଚ ଏଜେନ୍ସି ଏହା ଜାଣିବାକୁ ଚେଷ୍ଟା କରିବେ ଯେ, ବେଆଇନ ଅର୍ଥ କାରବାର ନେଟୱର୍କର ଉପଯୋଗ କେଉଁ ସ୍ତର ପର୍ଯ୍ୟନ୍ତ ହୋଇଛି ଏବଂ ଏଥିରେ କିଏ କିଏ ସାମିଲ ଥିଲେ । ସେହି ଆଧାରରେ ଗିରଫଦାରୀ ଆଗକୁ ବଢିପାରେ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି ।
ରାନ୍ୟା ରାଓଙ୍କ ଜାମିନ ଯାଚିକା ଉପରେ ଆଜି ବେଙ୍ଗାଲୁରୁର ସେସନ କୋର୍ଟରେ ଶୁଣାଣି ହୋଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆଦେଶ ସଂରକ୍ଷିତ ରଖିଛନ୍ତି । ରାନ୍ୟାଙ୍କ ଜାମିନ ଉପରେ ନିଷ୍ପତ୍ତି ମାର୍ଚ୍ଚ ୨୭ରେ ଆସିବ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୩ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୪ କିଲୋ ସୁନା(୧୨.୫୬ କୋଟି ଟଙ୍କା)ସହ ରାନ୍ୟା ରାଓଙ୍କୁ ଗିରଫ କରିଥିଲା ଡିଆରଆଇ । ଏହା ପରେ ରାନ୍ୟାଙ୍କ ବାସଭବନରେ ଚଢଉ ହୋଇଥିଲା । ଏହି ସମୟରେ ଘରୁ ୨.୦୬ କୋଟି ଟଙ୍କାର ସୁନା ଓ ୨.୬୭ କୋଟି ନଗଦ ଜବତ ହୋଇଥିଲା ।