ନୂଆଦିଲ୍ଲୀ: ପ୍ରଭୁ ଶ୍ରୀ ରାମଲାଲାଙ୍କୁ ସମର୍ପିତ ହୋଇଛି ସ୍ୱର୍ଣ୍ଣ କୋଦଣ୍ଡ ଧନୁ । ସ୍ୱର୍ଣ୍ଣ କୋଦଣ୍ଡ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଦିବସ ଅବସରରେ ପହଁଚିଛି । ଯାହାକୁ ଦେଖିବା ପରେ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ପୁଷ୍ପ ବୃଷ୍ଟି, ଢୋଲ ବାଜା ଓ ଜୟ ଶ୍ରୀରାମ ନାରାରେ ଧନୁର ଭବ୍ୟ ସ୍ୱାଗତ କରାଯାଇଛି ।
ଏହି ଦିବ୍ୟ କୋଦଣ୍ଡକୁ ମନ୍ଦିର ନିର୍ମାଣ ସମିତିର ମହାସଚିବ ଚମ୍ପତ ରାୟ ବିଧି ବିଧାନ ସହିତ ସ୍ୱୀକାର କରିଛନ୍ତି । ଏହି ଅବସରରେ ମନ୍ଦିର ଟ୍ରଷ୍ଟର ପଦାଧିକାରୀ, ସାଧୁ ସନ୍ଥ ଏବଂ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
ଜାନୁୟାରୀ ୨ ତାରିଖରୁ ରାଉରକେଲାରୁ ଶୋଭାଯାତ୍ରା ବାହାରି ରାଜ୍ୟ ପରିକ୍ରମା କରିଥିଲା । ୧୯ ତାରିଖ ପୁରୀରେ ପହଁଚିଥିଲା । ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଯାଇଥିଲା । ସେଠାରୁ ସିଧାସଳଖ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ରାଉରକେଲାର ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ସ୍ୱର୍ଣ୍ଣ କୋଦଣ୍ଡ ଧନୁ ପ୍ରସ୍ତୁତ କରାଯାଇଛି । ତାମିଲନାଡ଼ୁର କାଞ୍ଚିପୁରମରେ ୪୮ ଜଣ ମହିଳା କାରିଗର ମାନେ ଦୀର୍ଘ ୮ ମାସ ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଛନ୍ତି ।
ସ୍ୱର୍ଣ୍ଣ ସହିତ ପଞ୍ଚ ଧାତୁରେ ନିର୍ମିତ ହୋଇଛି । ଯେଉଁଥିରେ ତମ୍ବା, ରୁପା, ଲୁହା ଓ ଜିଙ୍କ୍ ଧାତୁ ବ୍ୟବହାର କରାଯାଇଛି । ଏଥିରେ ୬ କିଲୋଗ୍ରାମ ସୁନା ବ୍ୟବହାର କରାଯାଇଛି । ଧନୁର ଲମ୍ବ ୮ ଫୁଟ, ଉଚ୍ଚତା ୩ ଫୁଟ ଏବଂ ଓଜନ ୨୩୫ କିଲୋଗ୍ରାମ ରହିଛି । ଏହି କୋଦଣ୍ଡ ବୀରତ୍ୱ, ସାହସ ଏବଂ ସନାତନ ଧର୍ମର ପ୍ରତୀକ । ଏଥିରେ ଦେଶ ପାଇଁ କାର୍ଗିଲ୍ ଯୁଦ୍ଧ ଏବଂ ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୧୭୫୦ ବୀର ଯବାନଙ୍କ ନାମ ଲେଖାଯାଇଛି । ସନାତନ ଧର୍ମ ଏବଂ କୋଦଣ୍ଡ ଧନୁର ମହତ୍ୱଙ୍କୁ ଭବିଷ୍ୟତ ପୀଢ଼ିଙ୍କ ପାଖରେ ପହଁଚାଇବାକୁ ଲକ୍ଷ୍ୟ ରଖାଯାଇଛି ।