ସୋର: ବିଳମ୍ବିତ ରାତିରେ ସୁନା ଦୋକାନୀଙ୍କ ଘରେ ପଶି ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ । ଏପରି ଏକ ଅଭବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଆଙ୍ଗୁଳା ଗ୍ରାମରେ ଘଟିଛି । ଏନେଇ ସୁନା ଦୋକାନୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି କରିଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣାଙ୍କର ଏକ ସୁନା ଦୋକାନ ରହିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣା ଦୋକାନରୁ ଆସି ଘରେ ଖାଇ ଶୋଇଥିବା ସମୟରେ ଆଠରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବରେ ଘରର କବାଟ ଭାଙ୍ଗି ପଶିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଦୋକାନୀ ଗୋପାଳ ଚନ୍ଦ୍ର ମହାରଣାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ସମସ୍ତ ମୂଲ୍ୟବାନ ସାମଗ୍ରୀ ଲୁଟ କରିଥିଲେ । କିଛି ସମୟରେ ମଧ୍ୟରେ ଘରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ । ଏନେଇ ଗୋପାଳଙ୍କ ସ୍ତ୍ରୀ ସୋର ଥାନାରେ ଅଭିଯୋଗ କରିଥିଲେ । ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସହିତ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ବୋଲି ସୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ନିର୍ଭୟରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଲୋକମାନଙ୍କ ଠାରୁ ସବୁ ସୁନାଗହଣା ଲୁଟି ନେଉଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଛି । ଏନେଇ ପୋଲିସ ମଧ୍ୟ ତଦନ୍ତ କରୁଛି । କିନ୍ତୁ କିଛି ସୁଫଳ ମିଳୁନାହିଁ ।