ମାଲକାନଗିରି: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାରେ ହାଲ ବେହାଲ ହୋଇପଡ଼ିଛି । ମାଲକାନଗିରି ଜିଲ୍ଲାରେ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି । ପୋଲ ବୁଡ଼ିବା ସହିତ ଜାତୀୟ ରାଜପଥ ଉପରେ ପାଣି ଚାଲୁଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି ଜିଲ୍ଲା । ଏହି ବର୍ଷା ଦ୍ୱାରା ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରବାହିତ ହେଉଛି ।
ପୋଟେରୁ ପୋଲ ଉପରେ ୫ ରୁ ୬ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି । ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏମଭି-୯୦, ଏମଭି-୯୬ , ପାଙ୍ଗମ, ଏମଭି- ୭, ପୋଟେରୁ, କନ୍ୟା ଆଶ୍ରମ, କାଙ୍କୋର କୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ । ପୋଟେରୁ ସହର ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି । ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦ ରହିଛି । ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି ।
ଅଧିକ ପଢ଼ନ୍ତୁ-
ସେହିପରି କାଙ୍କୋର କୋଣ୍ଡା ପୋଲ ଉପରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଜିଲ୍ଲାରେ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।