ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଅବପାତ ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଥିବାବେଳେ ସୋମବାର ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆକଳନ କରାଯାଇଛି । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଅର୍ଥାତ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏହା ସହିତ ଉପକୂଳ ଜିଲ୍ଲା ଗୁଡ଼ିକରେ ୪୦ରୁ ୬୦ କି.ମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାରେ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ।
ସେହିଭଳି ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ୧୨୦ରୁ ୨୦୦ ମି.ମି ବର୍ଷା ହେବାର ସମ୍ଭାବନା ଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାର ପୂର୍ବାହ୍ନଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି ।
ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଧାମରା, ପାରାଦୀପ, ପୁରୀ ଏବଂ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କିଛି ଜିଲ୍ଲାମାନଙ୍କର ବନ୍ୟା ପରିସ୍ଥିତି ବି ସୃଷ୍ଟି ହେବାର ଆଶଙ୍କା ରହିଛି । ବରଗଡ଼, ବୌଦ୍ଧ, ଗଞ୍ଜାମ, ଜଗତ୍ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ପୁରୀ ଓ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସେଥିପାଇଁ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି ।