ମୟୁରଭଞ୍ଜରେ ମହୁଲ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଅଭିନବ ଉପାୟରେ ଅବକାରୀ ବିଭାଗ ଟିମ୍ ହାତରୁ ଛଡାଇନେଲେ ମହୁଲ ଭର୍ତ୍ତି ପିକଅପ୍। ମହିଳା ଅବକାରୀ ଏସଆଇଙ୍କୁ ଗାଡିରେ ବସାଇ ୧୬ କ୍ଵିଣ୍ଟାଲ ମହୁଲ ଛଡାଇନେଲେ। କପ୍ତିପଦା ଥାନା ଜାରଡା ଗାଁରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।
ସୂଚନା ମୁତାବିକ, ବେଆଇନ ଭାବେ ବିପୁଳ ପରିମାଣର ମହୁଲ ଚାଲାଣ ହେଉଥିବା ଖବର ପାଇ ଉଦଳା ଅବକାରୀ ବିଭାଗ କପ୍ତିପଦାରେ ଚଢ଼ାଉ କରିଥିଲା । କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । ଅବକାରୀ ସବଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ ମହୁଲ ବୋଝେଇ ପିକଅପ ଜବତ କରିବା ପରେ ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟ ଆଣୁଥିଲେ । ହେଲେ ଉଦଳା – ବାରିପଦା ରାଜ୍ୟ ରାଜପଥ ଜାରଡା ଛକ ନିକଟରେ ଅଭିଯୁକ୍ତ ବାବୁଲି ପ୍ରଧାନ ସହଯୋଗୀଙ୍କ ସହ ପହଞ୍ଚି ଜବତ ଗାଡିକୁ ଅଟକାଇବା ସହିତ ଗାଡିର ଡ୍ରାଇଭରକୁ ମାଡ଼ ମାରି ଗାଡିରୁ ବାହାର କରି ଦେଇଥିଲେ ।
ଜବତ ଗାଡ଼ିକୁ ପୋଲିସ ଷ୍ଟେସନକୁ ନିଆଯାଉଥିବା ସମୟରେ ଜାରଡା ଛକ ନିକଟରେ ମାଫିଆମାନେ ଗାଡିଟିକୁ ଅଟକାଇଥିଲେ। ଫିଲ୍ମ ଷ୍ଟାଇଲରେ ଅଧିକାରୀଙ୍କ ସାମ୍ନାରେ ଜବତ ଗାଡିକୁ ଛଡାଇ ନେଇଥିଲେ । ଡ୍ରାଇଭରଙ୍କୁ ମାଡ ମାରି ଓହ୍ଲାଇ ଦେଇ ଗାଡି ସହ ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ମହିଳା ସବଇନ୍ସପେକ୍ଟରଙ୍କ ସାମ୍ନାରେ ଜବତ ୧୬ କୁଇଣ୍ଟାଲ ମହୁଲକୁ ଅନଲୋଡ଼ କରି ପିକଅପ ଭ୍ୟାନକୁ ଖସାଇ ଦେଇଥିଲେ । ସେପଟେ ଖବର ପାଇଁ ପୋଲିସ ଏ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବାବୁଲି ପ୍ରଧାନ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି ।