ଭୁବନେଶ୍ୱର: ରାଜ୍ୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୋଲିସର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ସରକାର ଦେଇଛନ୍ତି ବଡ଼ ଦାୟିତ୍ୱ ।
ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ୧୯୭୭ ମସିହା ବ୍ୟାଚର ପ୍ରକାଶ ମିଶ୍ର ୨୦୧୨-୨୦୧୪ ଯାଏଁ ପୋଲିସ ଡିଜି ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୨୦୧୪-୧୬ ସେ ସିଆରପିଏଫ୍ ଡିଜିଭାବେ ନିଯୁକ୍ତି ପାଇଥିଲେ । ୨୦୧୬ରେ ସେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୨୦୧୯ରେ କଟକ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ ।
ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତଭାବେ ନିଯୁକ୍ତି ପାଇଛନ୍ତି ୧୯୯୧ ବ୍ୟାଚର ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ । ଆଦିତ୍ୟ ପାଢ଼ୀଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେବେ ରାଜ୍ୟ ସରକାର ଆଜି ଦୁଇ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଉଭୟ ବହୁତ ଦକ୍ଷ ଅଧିକାରୀ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି ।