ଢେଙ୍କାନାଳ: ପୁଣି ଦନ୍ତା ହାତୀ ଆକ୍ରମଣରେ ଆଉ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଘଟିଛି । ମୃତକ ଜଣକ ଛବି ଦେହୁରୀ ବୋଲି ପରିଚୟ ମିଳିଛି । ବହୁ ବାର ହିନ୍ଦୋଳ ଅଞ୍ଚଳରେ ହାତୀ ପଲ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ । ହାତୀ ଆକ୍ରମଣରେ ମଧ୍ୟ ବହୁ ଲୋକଙ୍କର ମୃତ୍ୟୁ ହୋଇଛି । ଯେଉଁ କାରଣରୁ ଏବେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳୁ ଛବି ଦେହୁରୀ କାଜୁ ତୋଳିବାକୁ ଯାଇଥିବା ସମୟରେ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେବା ସହିତ ପରିବାରରେ ଶୋକର ଛାୟା ଖେଳିଯାଇଛି । ହାତୀ ଉପଦ୍ରଵ ବଢୁଥିବା ସତ୍ୱେ ବନବିଭାଗ ପକ୍ଷରୁ କୌଣସି ବିକଳ୍ପ ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବାରମ୍ବାର ହାତୀ ପାଇଁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ସମାଧାନ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।