ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନୀଳାଦ୍ରିବିହାରରେ ଝାଡ଼ାବାନ୍ତି ବ୍ୟାପିଛି । ନୀଳମାଧବ ନିବାସରେ ରହୁଥିବା ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ମୁତୟନ କରାଯାଇଥିବା ଜଣାପଡ଼ିଛି ।
ନୀଳାଦ୍ରିବିହାରସ୍ଥିତ ୧୩ ନମ୍ବର ୱାର୍ଡରେ ଥିବା ସରକାରୀ ଘର ନୀଳମାଧବ ନିବାସ ରହୁଥିବା ଲୋକମାନେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତ ଶନିବାରଠାରୁ ସେଠାରେ ଡାକ୍ତରୀ ଟିମ୍ ମୁତୟନ କରାଯାଇଛି । ଯେଉଁମାନେ ଗୁରୁତର ଅଛନ୍ତି ସେମାନଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।
ସେଠାରେ ଥିବା ଦୂଷିତ ପାଣି ପିଇବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି । ପାଣିଟାଙ୍କିରେ ସିମେଣ୍ଟ ବସ୍ତା, ବାଉଁଶ ଇତ୍ୟାଦି ପଡ଼ିଥିବା କୁହାଯାଉଛି । ସରକାରଙ୍କ ପକ୍ଷରୁ ତୁରନ୍ତ ପିଇବା ପାଣିର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ସରକାର ସମୟରେ ସରକାରୀ ଆବାସ ନିର୍ମାଣ କରାଯାଇଥିଲା । କିନ୍ତୁ ପିଇବା ପାଣି ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି । ବାଧ୍ୟହୋଇ ଲୋକମାନେ ଟାଙ୍କି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ସେଠାକାର ବାସିନ୍ଦା କହିଛନ୍ତି ।