ଯାଜପୁର ପରେ କେନ୍ଦ୍ରାପଡା, ଢେଙ୍କାନାଳ, ଆଉ ଏବେ ଭଦ୍ରକକୁ ଡେଇଁଲାଣି ଝାଡ଼ାବାନ୍ତି । ଯାହା ଜିଲ୍ଲାବାସୀଙ୍କୁ ଭୟଭୀତ କଲାଣି । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରକୁ ବ୍ୟାପିଲାଣି ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଧାମନଗର ସହର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ବିଶୁଦ୍ଧ ପାନୀୟ ପିଇବା ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ । ଏନେଇ ଯାଜପୁରର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ବ୍ୟାସନଗରକୁ ଯାଇ ଅନୁଧ୍ୟାନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗର ନିୟନ୍ତ୍ରଣ, ନିରାକରଣ ଓ ସଂକ୍ରମଣ ରୋକିବାକୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ କରିଥିଲେ । ୧୪ଜଣିଆ କେନ୍ଦ୍ରୀୟ ଟିମ୍ ଯାଜପୁର ଗସ୍ତରେ ଆସି ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । କେଉଁ କାରଣରୁ ଜିଲ୍ଲା ପରେ ଜିଲ୍ଲା ଝାଡ଼ାବାନ୍ତି ବ୍ୟାପୁଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ ।