ଦିଗପହଣ୍ଡି: ପୁଣି ଚିନ୍ତା ବଢ଼ାଇଲାଣି ଡ଼ାଇରିଆ । ଗତ କିଛି ଦିନ ପୂର୍ବରୁ ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଥିବା ଡ଼ାଇରିଆ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ଏବେ ପୁଣି ଦିଗପହଣ୍ଡି ଅଞ୍ଚଳରେ ଡ଼ାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଡ଼ାଇରିଆରେ ୨ ଜଣଙ୍କ ଜୀବନ ମଧ୍ୟ ଗଲାଣି । ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ ପ୍ରାୟ ୨୦ ଜଣ ଡ଼ାଇରିଆରେ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଗତକାଲି ଡ଼ାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡ଼ାଇରିଆରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡ଼ାଇରିଆ ସ୍ଥିତିର ଅନୁଧ୍ୟାନ ପାଇଁ ଗତକାଲି ବିଧାୟକ ଓ ପ୍ରଶାସନ ଗାଁ ରେ ପହଞ୍ଚି ଯାଞ୍ଚ କରିଥିଲେ । ସ୍ଥାନୀୟ ଅଞ୍ଚଳର ପାଣି ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଥିବା ସୂଚନା ମିଳିଛି । ଝାଡାବାନ୍ତି ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସତର୍କତାର ସହିତ ରହିବା ପାଇଁ ଭୟଭୀତ ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।