ଭୁବନେଶ୍ୱର: ଆଜି ପୁଣି ଲୋକଙ୍କ ସମସ୍ୟା ଶୁଣିବେ ଲୋକଙ୍କ ସରକାର । ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟକୁ ଆସିଥିବା ସମସ୍ତ ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ । ରାଜ୍ୟରେ ମୋହନ ସରକାରଙ୍କ ଶାସନକୁ ଏକ ବର୍ଷ ପୂରଣ ହୋଇଯାଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବା ପାଇଁ କିଛି ବି ପ୍ରତିବନ୍ଧକ ନାହିଁ । ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁଖ ଦୁଃଖ ବୁଝିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ସମାଧାନ ମଧ୍ୟ କରୁଛନ୍ତି ।
ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହାର ନବୀକରଣ କରାଯାଇଥିଲା । କିନ୍ତୁ ଏବେ ଏହାର ଠିକଣା ସ୍ଥାନ ବଦଳିଛି । ଗତ ଏପ୍ରିଲ ୨୧ ତାରିଖରେ ପ୍ରଥମଥର ପାଇଁ ଭୁବନେଶ୍ଵର ବାହାରେ ସମ୍ବଲପୁରରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଜିଲ୍ଲା ସମେତ ବରଗଡ, ସୁବର୍ଣ୍ଣପୁର , ଝାରସୁଗୁଡ଼ା, ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ଆସି ନିଜ ସବୁ ଅଭିଯୋଗ ଗୁଡ଼ିକ ଶିବିରରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ଏହି ଅଭିଯୋଗ ଶୁଣାଣୀ ଶିବିର ପାଇଁ ଦିବ୍ୟାଙ୍କ ଓ ବୃଦ୍ଧବୃଦ୍ଧାଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।