ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରଥମେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦ ଜଳଭଣ୍ଡାରର ବାମପଟେ ଥିବା ୭ ନମ୍ବର ଗେଟ୍ ଯୋଗେ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯାଇଛି। ତେବେ ଜଳନିଷ୍କାସନ ପୂର୍ବରୁ ସତର୍କତା ମୂଳକ ସାଇରାନ ବାଜିଥିଲା। ଏହି ଜଳ ନିଷ୍କାସନ ବେଳେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆଜି ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳଭଣ୍ଡାରରୁ ବାମପଟେ ୮ ଗୋଟି ଓ ଡାହାଣ ପଟେ ୪ ଗୋଟି ମୋଟ ୧୨ ଗୋଟି ଗେଟ୍ ଦେଇ ଜଳ ନିଷ୍କାସନ ହୋଇଥିବା ବେଳେ ପରେ ଆଉ ଡ୍ୟାମ୍ର ଆଉ ୮ଟି ଫାଟକ ଖୋଲାଯାଇଛି । ମୋଟ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବାମ ପାର୍ଶ୍ବର ୧୩ଟି ଓ ଡାହାଣ ପାର୍ଶ୍ବର ୭ଟି ଗେଟ୍ ଖୋଲାଯାଇଛି ।
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୨ ହଜାର ୯୦୬ କ୍ୟୁସେକ ଜଳ ପ୍ରବେଶ କରୁଥିିବାବେଳେ ୩୭ ହଜାର ୮୪୭ କ୍ୟୁସେକ ଜଳ ନିଷ୍କାସନ ହେଉଛି । ପାଣି ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବା ପରେ ତଳି ଅଞ୍ଚଳରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ପୂର୍ବରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।