ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶର ପ୍ରଥମ ଇଚ୍ଛା ମୃତ୍ୟୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏବେ ମୃତ୍ୟୁ ଅପେକ୍ଷାରେ ଅଛନ୍ତି ପଞ୍ଜାବର ହରିଶ ରାଣା । ସୁପ୍ରିମକୋର୍ଟଙ୍କ ହରିଶଙ୍କୁ ଆମ୍ବୁଲାନ୍ସ ଯୋଗେ ପଞ୍ଜାବରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏମ୍ସରେ ପେଲିଏଟିବ୍ କେୟାର ୟୁନିଟରେ ରଖାଯାଇଛି ।
ହରିଶଙ୍କ ସ୍ଥାନାନ୍ତର ସମୟରେ ସମ୍ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଇଛି । ଆମ୍ବୁଲାନ୍ସରେ ହରିଶ ଥିବାବେଳେ ବାହାରୁ କେହି ଦେଖିବାର ସୁଯୋଗ ପାଇନଥିଲେ । ପାଲିଏଟିଭ୍ କେୟାର ୟୁନିଟରେ ତାଙ୍କର ଗୋଟି ଗୋଟିଏ କରି ଜୀବନ ସହାୟକ ପ୍ରଣାଳୀ ବା ସପୋର୍ଟ ସିଷ୍ଟମର ପାର୍ଟକୁ ବାହାର କରାଯିବ । ଏମ୍ସ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏଥିରେ ସାମିଲ ହୋଇଛନ୍ତି । ଏମ୍ସ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ, ହରିଶ ରାଣାଙ୍କୁ ଏବେ ପାଲିଏଟିଭ୍ କେୟାରରେ ରଖାଯିବ। ଏହା ସହିତ, ତାଙ୍କ ଶାରୀରିକ ଲକ୍ଷଣଗୁଡ଼ିକୁ ଦୃଷ୍ଟିରେ ରଖି, ଜୀବନ ସହାୟକ ପ୍ରଣାଳୀକୁ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପ୍ରତ୍ୟାହାର କରାଯିବ। ଏହି ଜଟିଳ ପ୍ରକ୍ରିୟା ପ୍ରାୟ ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ନେଇପାରେ । ରୋଗୀଙ୍କୁ ସମ୍ମାନଜନକ ଭାବେ ଇଚ୍ଛା ମୃତ୍ୟୁ ଦେବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ପାଲିଏଟିଭ୍ କେୟାରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ରୋଗୀ ଏବଂ ସେମାନଙ୍କ ପରିବାରର ଦୁଃଖକୁ କମ କରିବା। ଏଥିରେ ଗୁରୁତର କିମ୍ବା ଜୀବନ ପ୍ରତି ବିପଦପୂର୍ଣ୍ଣ ରୋଗରେ ପୀଡିତ ବ୍ୟକ୍ତିମାନେ ଅନୁଭବ କରୁଥିବା ଶାରୀରିକ ଏବଂ ମାନସିକ ଲକ୍ଷଣଗୁଡ଼ିକର ଏକ ବ୍ୟାପକ ମୂଲ୍ୟାଙ୍କନ ଉପରେ ଆଧାରିତ ଚିକିତ୍ସା ପ୍ରଦାନ କରିବା ଅନ୍ତର୍ଭୁକ୍ତ । ଏମ୍ସର ଡାକ୍ତରଙ୍କ ଅନୁଯାୟୀ, ପାଲିଏଟିଭ୍ କେୟାର ଏକ ପ୍ରକାର ଚିକିତ୍ସା ସେବା ଯାହା ଗୁରୁତର କିମ୍ବା ଦୁରାରୋଗ୍ୟ ରୋଗରେ ପୀଡିତ ରୋଗୀଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ସେତେବେଳର ୨୦ ବର୍ଷିୟ ହରିଶ ରାଣା ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ୨୦୧୩ରେ ପିଜିରେ ରହୁଥିବାବେଳେ ଚତୁର୍ଥ ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା କାରଣରୁ ସେ କୋମାକୁ ଚାଲିଯାଇଥିଲେ । ସେବେଠାରୁ ସେ ଲାଇଫ୍ ସର୍ପୋଟ୍ ସିଷ୍ଟମରେ ଜୀବନ ବିତାଉଥିଲେ । ପାଇପରେ ଖାଦ୍ୟ ଖାଇାବା ସହିତ କେବଳ ବେଡ଼ରେ ହିଁ ପଡ଼ି ରହୁଥିଲେ । ସେପଟେ ବୃଦ୍ଧ ବାପା ମାଆ ପୁଅର ସେବା କରି ଥକି ଯାଇଥିଲେ । ଦୀର୍ଘ ୧୩ ବର୍ଷ ହେଲା ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁନି ନାହିଁ ବୋଲି ମେଡ଼ିକାଲ ରିପୋର୍ଟରେ କୁହାଯାଇଛି । ଯାହାର ଆଧାରରେ ସୁପ୍ରିମକୋର୍ଟ ଇଚ୍ଛା ମୃତ୍ୟୁ ଆବେଦନକୁ ଅନୁମୋଦନ କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜେବି ପାରିଦୱାଲା ଏବଂ ବିଚାରପତି କେଭି ବିଶ୍ୱନାଥନ ଇଚ୍ଛା ମୃତ୍ୟୁ ଆବେଦନର ଶୁଣାଣି କରି ଏହି ଐତିହାସିକ ରାୟ ଦେଇଥିଲେ ।