ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ମହାବାହୁ । ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହେଉଛନ୍ତି । ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ଶ୍ରୀଜଗନ୍ନାଥଙ୍କର ଅନେକ ବେଶ । କେତେକ ଶ୍ରୀଜିଉଙ୍କର ୩୨ ବେଶ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାଯାଏ । ଏଥିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ୨୨ଟି ବେଶ ହେଉଥିବା ବେଳେ ଦୁଇଟି ବେଶ ବିଶେଷ ତିଥିରେ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ଆକର୍ଷଣୀୟ ବେଶ ହେଉଛି ସୁନାବେଶ । ଏହି ବେଶ ବର୍ଷରେ ଛଅଥର ହୋଇଥାଏ । ଏଥିରୁ ଥରେ ରଥରେ ହେଉଥିବା ବେଳେ ଅନ୍ୟ ପାଞ୍ଚଥର ଶ୍ରୀମନ୍ଦିରର ରତ୍ନବେଦିରେ ହୋଇଥାଏ।
ରତ୍ନବେଦିରେ ହେଉଥିବା ସୁନାବେଶ ମଧ୍ୟରୁ ଚାରିଟି ପୂର୍ଣ୍ଣମୀ ତିଥିରେ ହୋଇଥାଏ । ଶ୍ରୀମନ୍ଦିରର ରତ୍ନବେଦିରେ ହେଉଥିବା ପାଞ୍ଚ ସୁନାବେଶ ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣମୀର ସୁନାବେଶକୁ ‘ରାଜରାଜେଶ୍ୱର ବେଶ’ କୁହାଯିବାବେଳେ ଅନ୍ୟ ଚାରି ବେଶକୁ ‘ରାଜବେଶ’ କୁହାଯାଏ । ତେବେ କାର୍ତ୍ତିକ ପୂର୍ଣ୍ଣିମୀର ‘ରାଜରାଜେଶ୍ୱର ବେଶ’ ‘ରାଜବେଶ’ର ଅନୁରୂପ । କାର୍ତ୍ତିକ ମାସର ଅନ୍ୟ ଦିନରେ ଶ୍ରୀଜଗନ୍ନାଥ ରାଧା-ଦାମୋଦର ବେଶ ହୋଇଥାଆନ୍ତି । ଏହା ‘ଗୋପାଳକୃଷ୍ଣ’ ଭାବରେ ତାଙ୍କର ମାଧୁର୍ଯ୍ୟ ବେଶ। କିନ୍ତୁ ପୂର୍ଣ୍ଣିମା ଦିନ ‘ଦ୍ୱାରକାକୃଷ୍ଣ’ ଭାବରେ ସେ ଐଶ୍ୱର୍ଯ୍ୟ ଭାବ ପ୍ରକାଶ କରିଥାନ୍ତି । ଏଣୁ ଏହି ଦିନର ବେଶ ‘ରାଜରାଜେଶ୍ୱର ବେଶ’ । କିନ୍ତୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଯେଉଁ ସୁନା ବେଶ ହୁଏ, ସେ ବେଶର ନାଆଁ ‘ବଡ଼ତଢ଼ାଉ ବେଶ’ ।
ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦର୍ଶନ ଦେବେ ମହାପ୍ରଭୁ । ପରେ ବେଶ ଓଲାଗି ହେବ । ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ଯୋଗୁଁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କ କରାଯାଇଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଥିବା ସୂଚନା ଦେଇଛି ପୋଲିସ। ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ନିବେଦନ କରିଛି ପୋଲିସ। ପ୍ରବଳ ଭିଡକୁ ଲକ୍ଷ୍ୟରେ ରଖି ଗାଡି ପାସ୍ ଗୁଡିକ ରଦ୍ଦ କରାଯାଇଛି। ଏହା ସହିତ ଓଡ଼ିଶା ପୋଲିସ ପକ୍ଷରୁ ଏକ ସତର୍କ ବାର୍ତ୍ତା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ପଠାଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଛି ।