ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୨୬ ଏବଂ ରାଖାଲଗୁଡ଼ା ଗ୍ରାମ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖାଦେଇଛି । ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଫଳରେ ଦୁଇ ଗ୍ରାମର ୧୦ କିଲୋମିଟର୍ ପରିଧି ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ କରାଯାଇଛି ।
କୋରାପୁଟରୁ ଆଇଆରବି, ଡିଭିଏଫ୍ ଏବଂ ସିଆରପିଏଫ୍ ଯବାନଙ୍କୁ ଆଣି ଦୁଇ ଗ୍ରାମରେ ମୃତୟନ କରାଯାଇଛି । ପୋଲିସ ଟିମ୍ କ୍ୟାମ୍ପ ପକାଇ ଜଗି ରହିଛନ୍ତି । ଅନେକ ଘରର ଲୋକ ଗାଁ ଛାଡ଼ି ପଳାଇ ଯାଇଛନ୍ତି । ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ମୃତ ଲାକେ ପଡ଼ିଆମିଙ୍କ କଟା ମୁଣ୍ଡ ଏଯାଏ ମିଳିନି । ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ମୁଣ୍ଡକୁ ଖୋଜିବାକୁ ଚେଷ୍ଟା କରୁଛି । ପରିବାର ଲୋକେ ମଧ୍ୟ ମୁଣ୍ଡ ବିହୀନ ମୃତ ଦେହକୁ ଗ୍ରହଣ କରୁନାହାଁନ୍ତି ।
ଏଥିସହିତ ଏମଭି-୨୬ରେ ଥିବା ଆବାସିକ ବିଦ୍ୟାଳୟକୁ ୪ ଦିନ ଯାଏ ଛୁଟି ଘୋଷଣା କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ଦୁଇ ଗ୍ରାମରେ କିପରି ଶାନ୍ତି ଫେରାଇ ଅଣାଯିବ ସେଥିପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ପାଞ୍ଚ ଦିନ ତଳେ ରାଖାଲଗୁଡ଼ା ଗ୍ରାମର ଲାକେ ପଡ଼ିଆମି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ କୋରୁକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡାମେଟା ନଦୀ କୂଳରୁ ମିଳିଥିଲା । ଏମଭି-୨୬ରେ ଗ୍ରାମର ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ରାଖାଲଗୁଡ଼ା ଗ୍ରାମବାସୀ ସନ୍ଦେହ କରିଥିଲେ । ଏ ନେଇ ଆଦିବାସୀ ମେଳି କରି ଏମଭି-୨୬ ଗ୍ରାମରେ ପହଁଚିଥିଲେ । ଉଭୟ ଗ୍ରାମବାସିନ୍ଦାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ରାଖାଲଗୁଡ଼ା ଗ୍ରାମର ଲୋକେ ଏମଭି-୨୬ ଗ୍ରାମର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଦେଇଥିଲେ । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା ।