ଭୁବନେଶ୍ୱର: ରାଜ୍ୟର ରାଜସ୍ୱ ଆୟ ବଜେଟ୍ ଅଟକଳରୁ ଭୁଲ ପ୍ରମାଣିତ କରୁଛି । ରାଜ୍ୟ ସରକାର ଗୋଟେ ରାଜସ୍ୱ ଆୟ ଆକଳନ କଲେ ତାହା ସେହି ଅଙ୍କକୁ ଛୁଇଁ ପାରୁ ନାହିଁ । ବିଗତ ତିନି ବର୍ଷ ହେବ ରାଜସ୍ୱ ଆଦାୟ ସେହିଭଳି ଚିତ୍ର ରହିଛି । ବିଧାନସଭାରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ପଚାରିଥିବା ପ୍ରଶ୍ନର ମୁଖ୍ୟମନ୍ତ୍ରୀ ଚରଣ ମାଝୀ ରଖିଥିବା ଉତ୍ତରରେ ତାହା ସ୍ପଷ୍ଟ ହୋଇଛି ।
ବିଧାୟକ ଶ୍ରୀ ବେହେରା ୨୦୨୩ରୁ ୨୦୨୫ ପର୍ୟ୍ୟନ୍ତ ବିଭିନ୍ନ ବିଭାଗର ବିଭିନ୍ନ ବର୍ଗରେ ବଜେଟରେ କେତେ ରାଜସ୍ୱ ଆଦାୟ ଆକଳନ କରାଯାଇଛି ଏବଂ କେତେ ଆଦାୟ ହେଉଛି ତାହାର ତୁଳନାତ୍ମକ ଚିତ୍ର ମାଗିଥିଲେ। ଯାହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୮୪ ହଜାର ୫୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଆକଳନ ରଖିଥିବାବେଳେ ୯୦୮୦୬.୫୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି । ଯାହାକି ଆକଳନର ୪୯.୨୨ ପ୍ରତିଶତ ଅଟେ । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ଆଦାୟ ପାଇଁ ଆକଳନ ହୋଇଥିବାବେଳେ ୧୦୩୦୯୫.୫୭ କୋଟି (୪୮.୮୬%) ରାଜସ୍ୱ ବାସ୍ତବରେ ଆଦାୟ ହୋଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ଅକ୍ଟୋବର ସୁଦ୍ଧା ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ଆକଳନ କରାଯାଇଥିବାବେଳେ ଆଦାୟ ହୋଇଛି ୧୧୧୩୦୨.୮୭ କୋଟି ଟଙ୍କା (୪୭.୯୮%) ।
ନିଜସ୍ୱ ଟିକସ ରାଜସ୍ୱ
ଆର୍ଥିକ ବର୍ଷ ୨୦୨୩-୨୪ରେ ନିଜସ୍ୱ ଟିକସ ରାଜସ୍ୱ ଆଦାୟ ପାଇଁ ବଜେଟ୍ ଅଟକଳ ୫୩୦୦୦.୦୦ କୋଟି ଟଙ୍କା ଥିବାବେଳେ ବାସ୍ତବ ଆଦାୟ ୨୮୦୧୩.୭୨ (୫୨.୮୬%) ହୋଇଛି । ସେହିପରି ୨୦୨୪-୨୫ ବର୍ଷରେ ବଜେଟ୍ ଅଟକଳ ୬୦୦୦୦.୦୦ କୋଟି ଟଙ୍କା ଥିବାବେଳେ ବାସ୍ତବ ଆଦାୟ ୩୧୦୫୦.୯୭ କୋଟି ଟଙ୍କା (୫୧.୭୫% ) ହୋଇଛି । ୨୦୨୫-୨୬ ବଜେଟ୍ ଅଟକଳ ୬୬୦୦୦.୦୦ କୋଟି ଟଙ୍କା ଥିବାବେଳେ ବାସ୍ତବ ଆଦାୟ ୩୧୫୨୭.୦୧ କୋଟି ଟଙ୍କା (୪୭.୭୭%) ହୋଇଛି ।
ମୋଟ ଅଣ-ଟିକସ ରାଜସ୍ୱ
ରାଜ୍ୟର ଅଣ-ଟିକସ ରାଜସ୍ୱ କ୍ଷେତ୍ରରେ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ୍ ଅଟକଳ ୫୨୫୦୦.୦୦ କୋଟି ଟଙ୍କା କରାଯାଇଥିବାବେଳେ ବାସ୍ତବ ଆଦାୟ ହୋଇଛି ୨୯୫୬୮.୦୦ କୋଟି ଟଙ୍କା (୫୬.୩୨%) । ସେହିପରି ୨୦୨୪-୨୫ ବର୍ଷରେ ବଜେଟ୍ ଅଟକଳ ୫୮୦୦୦.୦୦ କୋଟି ଟଙ୍କା କରାଯାଇଥିବାବେଳେ ବାସ୍ତବ ଆଦାୟ ୩୧୫୫୫.୨୩ କୋଟି ଟଙ୍କା (୫୪.୪୧% ) ହୋଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଅଟକଳ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବାବେଳେ ବାସ୍ତବ ଆଦାୟ କିନ୍ତୁ ୩୪୩୫୫.୬୮ କୋଟି ଟଙ୍କା (୫୭.୨୬%) ଅଟେ ।
ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶରେ ଆଦାୟ ହୋଇଥିବା ରାଜସ୍ୱ ବଜେଟ୍ ଆକଳନ ତୁଳନାରେ ବାସ୍ତବ ଆଦାୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫୧.୭୩ ପ୍ରତିଶତ, ୨୦୨୪-୨୫ରେ ୫୯.୨୭% ଏବଂ ୨୦୨୫-୨୬ ଅକ୍ଟୋବର ସୁଦ୍ଧା ୫୮.୭୦% ରାଜସ୍ୱ ଆଦାୟ ହୋଇଛି । ସେହିପରି କେନ୍ଦ୍ରୀୟ ଅନୁଦାନ ରାଜସ୍ୱ ଆଦାୟ ୨୦୨୩-୨୪ ଆର୍ଥିକ ବର୍ଷରେ ୨୮.୩୯ ପ୍ରତିଶତ, ୨୦୨୪-୨୫ରେ ୨୦.୫୩ ପ୍ରତିଶତ ଏବଂ ୨୦୨୫-୨୬ ଅକ୍ଟୋବର ସୁଦ୍ଧା ୧୮.୩୦ ପ୍ରତିଶତ ରାଜସ୍ୱ ଆଦାୟ ହୋଇଛି ।