ପୁରୀ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂର୍ଯ୍ୟମନ୍ଦିର ପଶ୍ଚିମଦିଗ ପ୍ରଥମ ପୀଢ଼ରେ ଚାରି ଫୁଟ୍ ଟନେଲ୍ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି । ଏଏସ୍ଆଇ ପକ୍ଷରୁ ପୂଜା ପାଠ କରିବା ପରେ କୋର୍ ୧୭ ଇଞ୍ଚ ଡ୍ରିଲିଂ କାମ କରାଯାଇଛି । ପଥର ସ୍ଥିତି କିପରି ରହିଛି ତାହା ଜାଣିବାକୁ ଡ୍ରିଲିଂ କରାଯାଉଛି । ଏଏସଆଇ ଅଧିକ୍ଷକ ଡିବି ଗଡ଼ନାୟକ ଓ ଆଞ୍ଚିଳିକ ନିର୍ଦ୍ଦେଶ ଦିଲ୍ଲୀପ ଖମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି ।
୧୨୨ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିରର ଗର୍ଭଗୃହର ପ୍ରବେଶ ପଥ । ମନ୍ଦିର ସୁରକ୍ଷା ପାଇଁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇଥିଲା । ବିଟ୍ରିଶ୍ ଶାସନ ସମୟରେ ୧୦୦୩ ମସିହାରେ ବାଲି ଭର୍ତ୍ତି କରାଯାଇଥିଲା । ୨୦୦୯ରେ ରୁର୍କିସ୍ଥିତ ସିବିଆରଆଇ ସଂସ୍ଥା ପକ୍ଷରୁ ଲେଜର୍ ସ୍କାନିଂ ଏବଂ ଏଣ୍ଡୋସ୍କୋପି କରାଯାଇଥିଲା । ରୋବୋଟିକ୍ କ୍ୟାମେରାରେ ଜଣାପଡ଼ିଥିଲା ଯେ ଗର୍ଭଗୃହରେ ୧୭ ଫୁଟ୍ ବାଲି ଦବି ଯାଇଥିବାବେଳେ ପଥର ଝୁଲନ୍ତା ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା । ୨୦୧୧ରେ ମସିହାରେ ଏକ ଅନ୍ତର୍ଜାତୀୟ କର୍ମଶାଳା ମଧ୍ୟ କରାଯାଇଥିଲା । ହାଇକୋର୍ଟ ନିର୍ଦ୍ଦେଶ ପରେ ୨୦୨୦ରେ ଏଏସ୍ଆଇ ଏକ ଉଚ୍ଚସ୍ତରୀୟ ବୈଠକ କରି ବାଲି କାଢ଼ିବାକୁ ନିଷ୍ପତ୍ତି ହୋଇଥିଲା । ୨୦୨୩ ଜାନୁୟାରୀ ୩ ତାରିଖରୁ ବାଲି କଢା କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା । ମାତ୍ର କୌଣସି କାରଣକୁ ନେଇ ଏଏସଆଇ ପକ୍ଷରୁ ଏହି ବାଲି କଢା ପ୍ରସ୍ତୁତି କାର୍ଯ୍ୟ ଦୀର୍ଘ ଦିନ ପାଇଁ ବନ୍ଦ ରଖାଯାଇଥିଲା ।