ପୁରୀ: ଆଜି ରଥ ଉପରେ ବିରାଜମାନ କରିଥିବା ଶ୍ରୀଜୀଉଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ପର୍ଯ୍ୟନ୍ତ ପ୍ରତିରଥରେ ତିନିଟି କରି ୯ଟି ହାଣ୍ଡିରେ ପଣା ଭର୍ତ୍ତି ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ । ପଣା ହାଣ୍ଡି ଭୋଗ ହେବା ପରେ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି । ଏହି ଅଧରପଣାକୁ ରଥ ପାର୍ଶ୍ବରେ ଥିବା ଚଣ୍ଡୀ ଚାମୁଣ୍ଡା ପାନ କରନ୍ତି ବୋଲି ବିଶ୍ୱାସ ରହିଛି । ଅଶରୀର ତଥା ପତିତମାନଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି ଭଙ୍ଗା ଯାଇଥାଏ ।
ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ରଥାରୂଢ଼ ଶ୍ରୀଜୀଉଙ୍କ ପାଖରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହାର କରାଯାଇ ଅଧରପଣା ପ୍ରସ୍ତୁତ କରାଯାଇଥାଏ । ଏହା ପରେ ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ଭୋଗ ହେବା ପରେ ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ ।
ଜଗତର ଜଗନ୍ନାଥ କୋଟି ଓଡ଼ିଆଙ୍କ ମଉଡମଣୀ ପତିତଜନର ଉଦ୍ଧାର ପାଇଁ ନଅ ଦିନ ପାଇଁ ରତ୍ନବେଦିକୁ ଛାଡି ରଥାରୂଢ ହୁଅନ୍ତି । ରଥ ଉପରେ ମହାପ୍ରଭୁଙ୍କୁ ଦେଖିଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି ।