ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭ୍ରମଣକାରୀ ଭାରତ ହାତରୁ ଶୋଚନୀୟ ପରାଜୟ ଭୋଗିଛି । ଦଳ ୩୩୬ ରନର ବିଶାଳ ବ୍ୟବଧାନରେ ପରାଜିତ ହୋଇଛି । ଏହି ଗ୍ରାଉଣ୍ଡରେ ଇଂଲଣ୍ଡ କେବେ ବି ଭାରତ ହାତରୁ ପରାଜିତ ହୋଇ ନ ଥିଲା । ତେବେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏଜବାଷ୍ଟନରେ ଉଡାଇଛି ବିଜୟର ବାନା । ନିଜର ଶୋଚନୀୟ ପରାଜୟ ପରେ ଇଂଲଣ୍ଡ ଦଳରେ ପରିବର୍ତ୍ତନ ହୋଇଛି । ଦଳ ତୃତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି । ଏଥିରେ ଦଳ କୌଣସି ପରିର୍ତ୍ତନ କରି ନ ଥିବା ବେଳେ ଜଣେ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରିଛି ।
ତେନ୍ଦୁଲକର-ଆଣ୍ଡରସନ ସିରିଜର ତୃତୀୟ ତଥା ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ଜୁଲାଇ ୧୦ରେ କ୍ରିକେଟର ମକ୍କା ଲର୍ଡ୍ସରେ ଖେଳାଯିବ । ଦଳରେ ଦ୍ରୁତ ବୋଲର ଗସ ଏଟଙ୍କିସନଙ୍କୁ ସାମିଲ କରାଯାଇଛି । ୧୨ଟି ଟେଷ୍ଟ ଖେଳିଥିବା ଏଟଙ୍କିସନ ଇଂଲଣ୍ଡ ପାଇଁ ଶେଷ ମ୍ୟାଚ୍ ମେ ମାସରେ ଖେଳିଥିଲେ । ଆହତ କାରଣରୁ ଏହି ବୋଲର ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ବି ଖେଳି ପାରି ନ ଥିଲେ ।
ଏଟଙ୍କିସନ ଆସିବାରୁ ଇଂଲଣ୍ଡର ବୋଲିଂ ଆକ୍ରମଣ ଆହୁରି ମଜବୁତ ହେବ । ଘରୋଇ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ଯୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରିଥିଲା । ମାତ୍ର ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ଆଶା କରାଯାଉଛି ଲର୍ଡ୍ସ ଟେଷ୍ଟରେ ଦୁଇ ବୋଲରଙ୍କ ଚୂଡାନ୍ତ ଏକାଦଶରେ ପ୍ରତ୍ୟାବର୍ତ୍ତନ ହୋଇପାରେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସଂପ୍ରତି ୧-୧ରେ ବରାବର ସ୍ଥିତିରେ ରହିଛି । ଲିଡ୍ସରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ହାରିଥିବା ବେଳେ ଏଜବାଷ୍ଟନ ଟେଷ୍ଟରେ ଘରୋଇ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି ।
ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ
ବେନ ଷ୍ଟୋକ୍ସ(ଅଧିନାୟକ), ଯୋଫ୍ରା ଆର୍ଚର, ଗସ ଏଟିଙ୍କସନ, ଶୋଏବ ବସିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଇଡନ କାର୍ସ, ସାମ କୁକ, ଜ୍ୟାକ କ୍ରାଉଲି, ବେନ ଡକେଟ, ଜେମି ଓଭରଟନ, ଓଲି ପୋପ, ଜୋ ରୁଟ, ଜେମି ସ୍ମିଥ, ଜୋଶ ଟଙ୍ଗ, କ୍ରିସ ୱକ୍ସ ।