ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ସରକାରୀ ବାସଭବନ ଖାଲି ନ କରାଇବା ନେଇ ବିବାଦ ଦେଖା ଦେଇଛି । ଏ ନେଇ ସୁପ୍ରିମକୋର୍ଟ ପ୍ରଶାସନ ନିକଟରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ତୁରନ୍ତ ପୂର୍ବତନ ସିଜେଆଇଙ୍କ ଘର ଖାଲି କରାଇବାକୁ ଦାବି କରିଥିଲେ । ସମୟ ସୀମା ପୂରିବା ପରେ ବି ଚନ୍ଦ୍ରଚୂଡ ଘର ଖାଲି କରୁ ନ ଥିବା ସୁପ୍ରିମକୋର୍ଟ ପ୍ରଶାସନ ଅଭିଯୋଗ କରିଥିଲା । ଏହା ଉପରେ ମଙ୍ଗଳବାର ଡିୱାଇ ଚନ୍ଦ୍ରଚୂଡଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ଆମର ପୂରା ସାମଗ୍ରୀ ପ୍ୟାକ୍ । ଆମେ ଶୀଘ୍ର ଏଠାରୁ ବାହାରି ଯିବୁ । ଅଧିକରୁ ଅଧିକ ଦୁଇ ସପ୍ତାହ କିମ୍ବା ୧୦ ଦିନ ଭିତରେ ଘର ଖାଲି କରିଦେବୁ ।
ତାଙ୍କୁ ଦେଶର ପ୍ରଧାନ ବିଚାରପତି ଭାବେ ଦିଲ୍ଲୀର କୃଷ୍ଣ ମେନନ ମାର୍ଗରେ ୫ ନମ୍ବର ସରକାରୀ ବାସଭବନ ମିଳିଥିଲା । ସେ ଗତବର୍ଷ ନଭେମ୍ବରରେ ଅବସର ନେଇଥିଲେ ଏବଂ ତେବେଠୁ ଉକ୍ତ ଘରେ ରହି ଆସୁଛନ୍ତି । ତାଙ୍କ ଅବସର ପରେ ଜଷ୍ଟିସ ସଞ୍ଜୀବ ଖନ୍ନା ପ୍ରଧାନ ବିଚାରପତି ହୋଇଥିଲେ । ମାତ୍ର ସେ ସରକାରୀ ବାସଭବନ ନେଇ ନ ଥିଲେ । ତାଙ୍କର କହିବା କଥା ସିଜେଆଇ ଭାବେ ମୋର କାର୍ଯ୍ୟକାଳ ବହୁତ କମ ରହିଛି । ଏମିତିରେ ଘର ବଦଳାଇବା ଏବଂ ପୁଣି ଏହାକୁ ଖାଲି କରିବା ଏକ ଜଟିଳ ପ୍ରକ୍ରିୟା । ହେଲେ ଏବେ ଡିୱାଇ ଚନ୍ଦ୍ରଚୂଡ ଘର ଖାଲି ନ କରିବା ନେଇ ସୁପ୍ରିମକୋର୍ଟ କେନ୍ଦର୍ ସରକାରଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛି ।
ଏହା ଉପରେ ପ୍ରଶ୍ନ ହେବାରୁ ପୂର୍ବତନ ପ୍ରଧାନ ବିଚାରପତି କହିଛନ୍ତି, ମୋର ସବୁ ସାମାନ ପ୍ୟାକ ଅଛି । ଆମର ଫର୍ଣ୍ଣିଚର ବି ପ୍ୟାକ୍ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହିଁ ବାହାରେ ଅଛି । ଏହାକୁ ବି ଆମେ ଟ୍ରକରେ ରଖିବୁ ଏବଂ ନୂଆ ଘରକୁ ସ୍ଥାନାନ୍ତର କରିବୁ । ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ୧୦ ଦିନ କିମ୍ବା ଦୁଇ ସପ୍ତାହର ସମୟ ଲାଗିବ । ଜଷ୍ଟିସ ଚନ୍ଦ୍ରଚୂଡ ଏବେ ସରକାରଙ୍କ ପକ୍ଷରୁ ଆବଣ୍ଟିତ ବାସଭବନକୁ ଯିବେ ଯାହା ତିନି ମୂର୍ତ୍ତି ମାର୍ଗରେ ଅବସ୍ଥିତ । ଏହି ବାସଭବନରେ ସେ ଛଅ ମାସ ରହି ପାରିବେ । ପୂର୍ବତନ ସିଜେଆଇଙ୍କ କହିବା କଥା ତାଙ୍କ ଝିଅର ସ୍ୱାସ୍ଥ୍ୟ ଠିକ୍ ନାହିଁ ଏବଂ ସେ ଦୁରାଗ୍ୟ ରୋଗରେ ପୀଡିତ । ସେ ନିଜ ଝିଅ ହିସାବରେ ଘରକୁ ପ୍ରସ୍ତୁତ କରିବାକୁ ଚାହାନ୍ତି । ଏହି କାରଣରୁ ଘର ଛାଡିବାକୁ ବିଳମ୍ବ ହେଉଛି ।