ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ରୋଡ୍ ରେଳଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣାରେ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକ ଜଣକ ହେଲେ ସାହାଯବାହାଲ ଗାଁର କୁଲୁବୁଲୁ ବାଗଙ୍କ ପୁଅ ଅଶ୍ୱିନୀ ବାଗ । ସେ ତୁଷୁରା ଥାନା ଅନ୍ତର୍ଗତ ସିନ୍ଦିରାବାହାଲି ଗାଁରେ ଶ୍ୱଶୁର ଘରେ ରହୁଥିଲେ । ତାଙ୍କୁ କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ଦେଓଗାଁ ରେଳଷ୍ଟେସନ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏ ନେଇ ଦେଓଗାଁ ଥାନାକୁ ଖବର ଦେଇଥିଲେ । ପୁଲିସ ପହଁଚି ମୃତ ଦେହକୁ ଜବତ କରିଛି । ପରେ ମୃତ ଯୁବକ ଅଶ୍ୱିନୀ ବାଗ ବୋଲି ଜଣାପଡ଼ିଥିଲା । ରେଲୱେ ଟ୍ରାକ ନିକଟରେ ଥିବା ଏକ ଧାନଖଳାରେ ରକ୍ତ ଛିଟା ପଡ଼ିଛି । ଅଶ୍ୱୀନିଙ୍କୁ କେହି ଧାନଖଳାରେ ହତ୍ୟା କରିବା ପରେ ରେଲୱେ ଟ୍ରାକରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଦେଓଗାଁ ପୋଲିସ ଓ ବଲାଙ୍ଗୀର ଏସପି ରିଶିକେଶ ଖିଲାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।