ପୁରୀ: ଶ୍ରୀମନ୍ଦିରରୁ ଆସିଛି ମହାଅଭିଯୋଗ । ମହାପ୍ରଭୁଙ୍କ ପାଇଁ ଲାଗି ହେବାକୁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଅମଣିଆ ମୋଦକ ଚୋରି ହେବା ପରେ ମାରା ହୋଇଥିବା ମୋଦକ ଠାକୁରଙ୍କ ନିକଟରେ କିପରି ଲାଗି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅଣବସରର ଦଶମୀ ତିଥିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯାଇଥାଏ । ଏହା ପରେ ମହାପ୍ରଭୁଙ୍କ ନିକଟରେ ଦଶମୂଳ ମୋଦକ ଲାଗି କରାଯାଇଥାଏ । ରାଜବବୈଦ୍ୟମାନେ ଏହାକୁ ପ୍ରସ୍ତୁତ କରି ଗାରଦ ଧରେ ଦାଖଲ କରିଥାଆନ୍ତି । ଏଥି ମଧ୍ୟରୁ ରୁଦ୍ର ନନ୍ଦନ ମିଶ୍ର ୯୯ ମୂର୍ତ୍ତି, ନନ୍ଦନନ୍ଦନ ମିଶ୍ର ୬୩ ମୂର୍ତ୍ତି, ବିନାୟକ ମିଶ୍ର ନାତି ସୁଧାଂଶୁ ମିଶ୍ର ୪୯ ମୂର୍ତ୍ତି, ଦୁର୍ଗାପ୍ରସାଦ ମିଶ୍ର ୨୭ ମୂର୍ତ୍ତି, ସର୍ବେଶ୍ୱର ମିଶ୍ର ୨୫ ମୂର୍ତ୍ତି, ସତ୍ୟବ୍ରତ ମିଶ୍ର ଓ ଦେବବ୍ରତ ମିଶ୍ର ୨୫ ମୂର୍ତ୍ତି ଏବଂ କ୍ଷୀରୋଦ ଚନ୍ଦ୍ର ମିଶ୍ର ୨୫ମୂର୍ତ୍ତି ମୋଦକ ଶ୍ରୀମନ୍ଦିରକୁ ପଠାଇଥିଲେ । କିନ୍ତୁ ମହାପ୍ରଭୁଙ୍କ ନିକଟକୁ ଆସିଥିବା ୩୧୩ ଟି ମୋଦକ ବଦଳରେ ୨୪୩ଟି ମୋଦକ ଲାଗି କରାଯାଇଥିଲା । ବାକି ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ କରିଛନ୍ତି ହଳଧର ଦାସ ମହାପାତ୍ର । ଅମଣିଆ ମୋଦକ ଚୋରି ହେବା ପରେ ତାହା ମାରା ହୋଇଯାଇଥାଏ । ତେବେ ମାରା ହୋଇଥିବା ମୋଦକ କିପରି ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।