ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ଦୁନିଆ ସାମ୍ନାରେ ସ୍ପଷ୍ଟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ତାଙ୍କ ସରକାର ରାଷ୍ଟ୍ରୀୟ ହିତରେ ଯାହା ବି ଉଚିତ୍ ପଦକ୍ଷେପ ତାହା ଉଠାଇ ଥାଆନ୍ତି । ଆଧ୍ୟାତ୍ମିକ ସନ୍ଥ ତଥା ସମାଜ ସୁଧାରକ ଶ୍ରୀ ନାରାୟଣ ଗୁରୁ ଓ ମହାତ୍ମା ଗାନ୍ଧିଙ୍କ ମଧ୍ୟରେ କଥାବାର୍ତ୍ତାର ଶତାବ୍ଦୀ ସମାରୋହ ଉପଲକ୍ଷେ ମୋଦୀ କହିଛନ୍ତି, ଭାରତରେ ନିର୍ମିତ ହତିଆର ପାକିସ୍ତାନ ସହ ସଂଘର୍ଷ ସମୟରେ ନିଜର ପ୍ରଭାବ ଓ ପରାକ୍ରମ ଦେଖାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଦେଖାଇ ଦେଇଛୁ ଯେ, ଭାରତୀୟଙ୍କ ରକ୍ତ ବୁହାଇଥିବା ଆତଙ୍କବାଦୀଙ୍କ ପାଇଁ ଏବେ କୌଣସି ସୁରକ୍ଷିତ ସ୍ଥାନ ନାହିଁ । ତାଙ୍କ ସରକାର ଆଧ୍ୟାତ୍ମିକ ସନ୍ଥ ଶ୍ରୀ ନାରାୟଣ ଗୁରୁଙ୍କ ଆଦର୍ଶରେ କାମ କରିଛନ୍ତି, ଯିଏ ଭେଦଭାବରୁ ମୁକ୍ତ ସଶକ୍ତ ଭାରତ ଚାହୁଁଥିଲେ । ମୋଦୀ କହିଛନ୍ତି, ଗତ ୧୧ ବର୍ଷରେ ତାଙ୍କ ସରକାର ସାମାଜିକ, ଆର୍ଥିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମଜବୁତ କରିବାର କାମ କରିଛନ୍ତି । ନିଜର ପ୍ରତିରକ୍ଷା ଆବଶ୍ୟକତା ପୂରା କରିବା ପାଇଁ ଅନ୍ୟ ଦେଶ ଉପରେ ଭାରତର ନିର୍ଭରଶୀଳତା କମିବାରେ ଲାଗିଛି । ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେଉଛୁ ।
ପହଲଗାମରେ ଆତଙ୍କବାଦୀଙ୍କ ନରସଂହାରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସଠିକ୍ ହମଲା କରି ଭାରତୀୟ ସେନା ୨୨ ମିନିଟରେ ଶତ୍ରୁକୁ ମୁଣ୍ଡ ନୁଆଁଇବାକୁ ବିବଶ କରି ଦେଇତିଲା । ତାଙ୍କୁ ବିଶ୍ୱାସ ଯେ, ଭାବିଷ୍ୟତରେ ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ସାରା ଦୁନିଆରେ ପ୍ରଶଂସା କରାଯିବ ।