ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବିମାନରେ ପୁଣି ଅଘଟଣ ଘଟିଛି। ମଝି ଆକାଶରେ କ୍ରୁ ସଦସ୍ୟ ଏବଂ ଯାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ।ଏୟାର ଇଣ୍ଡିଆର ବିମାନ ସୋମବାର ଦିନ AI130 ଲଣ୍ଡନରୁ ଯାତ୍ରୀମାନଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଆସୁଥିଲା। ଏହି ସମୟରେ ବିମାନରେ ଥିବା ପାଞ୍ଚ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଅସୁସ୍ଥ ହୋଇପଡ଼ିଥିଲେ।
ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନରେ ମୋଟ ସାତ ଜଣ ଅସୁସ୍ଥ ଅନୁଭବ କରିଥିଲେ। ଯାତ୍ରୀମାନଙ୍କ ଠାରେ ମୁଣ୍ଡ ବୁଲାଇବା ସହ ବିଭିନ୍ନ ଅସୁସ୍ଥତାର ଲକ୍ଷଣ ଦେଖାଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରିଥିଲା। ଏହା ପରେ ଏୟାରଲାଇନ୍ସର ଡାକ୍ତରୀ ଟିମ ଅଧିକ ଅସୁସ୍ଥ ଅନୁଭବ କରୁଥିବା ଦୁଇ ଜଣ ଯାତ୍ରୀ ଓ ଦୁଇ ଜଣ କ୍ୟାବିନ କ୍ରୁଙ୍କୁ ଚିକିତ୍ସା କରିଥିଲେ। ସେମାନେ ସୁସ୍ଥ ହେବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି।
ହଠାତ ଯାତ୍ରୀମାନେ ଅସୁସ୍ଥ ଅନୁଭବର କାରଣ ଅସ୍ପଷ୍ଟ ରହିଛି। ସଠିକ ପରିମାଣରେ ଅମ୍ଳଜାନ ନ ମିଳିବା କାରଣରୁ ଏପରି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣଙ୍କ ଜୀବନ ଚାଲିଯାଇଥିଲା। ଏହି ବିମାନ ଦୁର୍ଘଟଣାର ଭୟ ଯାତ୍ରୀଙ୍କ ମନରୁ ଲିଭିନଥିବାବେଳେ ପୁଣି ଏୟାର ଇଣ୍ଡିଆର ଏକାଧିକ ବିମାନରେ ତ୍ରୁଟି ଦେଖାଯାଇଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକେ ବିମାନରେ ଯାତ୍ରା କରିବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି।