ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତର ଅପରେସନ ସିନ୍ଦୂର ଏବଂ ବୈଦେଶିକ ରଣନୀତିକୁ ନେଇ ମୋଦୀ ସରକାରଙ୍କ ବେଶ ପ୍ରଶଂସା କରି ସାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସାଂସଦ ଶଶି ଥରୁର । ନିକଟ ଦିନରେ ସେ ଏମିତି କିଛି ବୟାନ ଦେଇଛନ୍ତି ଯାହା ପାର୍ଟିର ଆଚରଣ ସହ ମେଳ ଖାଏ ନାହିଁ । ତାଙ୍କର ଏମିତି ଆଭିମୁଖ୍ୟ ଦେଖି ରାଜନୀତିରେ ଚର୍ଚ୍ଚା ଚାଲି ଆସିଛି ଯେ, କଣ ଶଶି ଥରୁର ବିଜେପିରେ ମିଶିବେ । ତେବେ କଂଗ୍ରେସ ସାଂସଦ ସ୍ପଷ୍ଟ କରିଛନ୍ତି ଯେ, ସେ ଭାରତୀୟ ଜନତା ପାର୍ଟିରେ ମିଶିବେ ନାହିଁ ।
ମିଡିଆ ରିପୋର୍ଟ ଅନୁଯାୟୀ, ଶଶି ଥରୁର କହିଛନ୍ତି, ମୁଁ ଲେଖା ଲେଖିଥିଲି, ଯେଉଁଥିରେ ବିଦେଶ ନୀତିର ସଫଳତା ବିଷୟରେ ଜଣାଇଥିଲି । ଏହା ସବୁ ଦଳର ଏକଜୁଟତାକୁ ଦର୍ଶାଇଥିଲା । ମୁଁ କହିଥିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅନ୍ୟ ଦେଶ ସହ ଆଲୋଚନାରେ ଗତିଶୀଳତା ଓ ଉର୍ଜା ଦେଖାଇଥିଲେ । ବିଜେପିର ବିଦେଶ ନୀତି କିମ୍ବା କଂଗ୍ରେସର ବିଦେଶ ନୀତି ସେମିତି କିଛି ନାହିଁ । କେବଳ ଏହା ଆମ ଭାରତର ବିଦେଶ ନୀତି ।
ସେ କହିଛନ୍ତି, ଯେବେ ମୁଁ ୧୧ ବର୍ଷ ପୂର୍ବେ ସଂସର ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ହେଲି ସେହି ସମୟରେ ବି ଏହି କଥା କହିଥିଲି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାର୍ଟିରେ ଯୋଗ ଦେବି । ଏହା ଆମର ରାଷ୍ଟ୍ରୀୟ ଏକଜୁଟତାର ସନ୍ଦେଶ ।
ଥରୁର ଇଂରାଜୀ ଦୈନିକ ଖବର କାଗଜ ଦ ହିନ୍ଦୁରେ ଅପରେସନ ସିନ୍ଦୂର ପରେ ରାଜନୈତିକ ସଂପର୍କ ରାଷ୍ଟ୍ରୀୟ ସଂକଳ୍ପ , ମୋଟାମୋଟି ଭାରତର ବିଦେଶ ନୀତି କିପରି ଥିଲା ତାହା ଉପରେ ଲେଖିଥିଲେ । ଥରୁର ନିଜ ଲେଖାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉର୍ଜା, ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଓ ଆଲୋଚନାର ତତ୍ପରତା ବିଶ୍ୱ ମଞ୍ଚରେ ଭାରତ ପାଇଁ ଏକ ବଡ ପୁଞ୍ଜି । ମାତ୍ର ଏହାକୁ ଅଧିକ ସମର୍ଥନର ଆବଶ୍ୟକତା ରହିଛି ।