କଟକ: କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସର ରଣକ୍ଷେତ୍ର ପାଲଟିଛି । ପଞ୍ଚାୟତ ସମିତି ବୈଠକ ବସିବା ପୂର୍ବରୁ ବିଜେପି ଓ ବିଜେଡ଼ି ଦଳର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । ଢେଲା ପଥର ମାଡ଼ରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାରେ ସ୍ଥଳରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯିବା ସହିତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, ସୋମବାର ଆଠଗଡ଼ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ ବସିବାର କାର୍ଯ୍ୟକ୍ରମ ରହିଥିଲା । ଏଥିରେ ସ୍ଥାନୀୟ ବିଧାୟକ, ଜିଲ୍ଲା ପରିଷଦ, ସରପଞ୍ଚ ଏବଂ ସମିତି ସଭ୍ୟମାନେ ଯୋଗ ଦେଇଥାଆନ୍ତେ । କିନ୍ତୁ ବୈଠକ ପୂର୍ବରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍ ରାଜା ସ୍ୱାଇଁଙ୍କୁ ବିଜେପି କର୍ମୀ ବିରୋଧ କରିଥିଲେ । ଏହା ପରେ ଦୁଇ ଦଳର ସମର୍ଥକମାନେ ନାରାବାଜା କରିଥିଲେ ।
ଧିରେ ଧିରେ ପରିସ୍ଥିତି ଅଣାୟତ ହେବାକୁ ବସିଥିଲା । ଉଭୟ ପକ୍ଷରୁ ଢେଲା ପଥର ମାଡ଼ କରାଯାଇଛି । ଫଳରେ ଦୁଇ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ଆଇଆଇସି ଏବଂ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଛି । ଏପରିକି ମାଜିଷ୍ଟ୍ରେଟ୍ ହସ୍ତକ୍ଷେପ କରିଛନ୍ତି । କିନ୍ତୁ କେହି କାହାରିକୁ ଶୁଣିବା ପରିସ୍ଥିତିରେ ନାହାଁନ୍ତି । ଘଟଣାସ୍ଥଳରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି । ଏହା ପରେ ଅଶାନ୍ତ ବାତ୍ତାବରଣ ରହିଛି । ତେବେ ପରିସ୍ଥିତି ଅଣାୟତ ହେବାରୁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି ।